କୋରାପୁଟରେ ପ୍ରତିଷ୍ଠା ହେବ ମ୍ୟାଲେରିଆ ଗବେଷଣା କେନ୍ଦ୍ର

ଭୁବନେଶ୍ୱର : ଗତ କିଛିବର୍ଷ ତଳେ ଓଡ଼ିଶାରେ ମ୍ୟାଲେରିଆର ଯେଉଁ ସ୍ଥିତି ଥିଲା, ତାହା ଆଜି ବଦଳିଛି। ଦକ୍ଷିଣ ଓଡ଼ିଶାରେ ମ୍ୟାଲେରିଆର ଭୟାବହତାକୁ ନଜରରେ ରଖି କୋରାପୁଟଠାରେ ଓଡ଼ିଶା ମ୍ୟାଲେରିଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ଆଜି ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେନା କହିଲେ, ୨୦୧୨ ମସିହାରେ ରାଜ୍ୟରେ ମ୍ୟାଲେରିଆରେ ୭୯ଜଣ ପ୍ରାଣ ହରାଇଥିବା ବେଳେ ୨୦୧୩ ମସିହାରେ ୬୭, ୨୦୧୪ ମସିହାରେ ୮୯, ୨୦୧୫ ମସିହାରେ ୮୦, ୨୦୧୬ରେ ୭୭ଜଣ ଓ ୨୦୧୭ରେ ୨୪ଜଣ ମ୍ୟାଲେରିଆରେ ପ୍ରାଣ ହରାଇଛନ୍ତି। ମ୍ୟାଲେରିଆର ତୁରନ୍ତ ଚିହ୍ନଟ ଓ ଚିକିତ୍ସା ପାଇଁ ୪୭ହଜାର ଆଶା ଓ ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର ୬୬୮୮ଟି ଉପକେନ୍ଦ୍ର, ୧୧୬୮ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୩୭୭ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୨୯ଟି ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ୩୨ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ତୁରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ମାଗଣାରେ ଉପଲବ୍ଧ ହେଉଛି।

ମ୍ୟାଲେରିଆ ନିରାକରଣ ଦିଗରେ ଏକ ପ୍ରଭାବଶାଳୀ ଅଭିଯାନ ହେଉଛି ‘ଦମନ’। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। ଓଡ଼ିଶାକୁ ଏକ ମଡେଲ ଭାବେ ଗ୍ରହଣ କରି ଅନ୍ୟ ରାଜ୍ୟମାନେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ଜେନା କହିଥିଲେ।

ଏହି ଅବସରରେ ମ୍ୟାଲେରିଆ ସଂପର୍କିତ ପ୍ରଚାର ପୁସ୍ତିକା ଓ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା.ଜେ.କେ ତ୍ରିପାଠୀ, ଡା.ବସନ୍ତ ପଣ୍ଡା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସେର ସିଂ କସୋଟିଆଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର