ହୃଦୟ ଖୋଲିଦେଲେ ନବୀନ : ସାମ୍ବାଦିକଙ୍କ ପାଇଁ ପ୍ୟାକେଜ ଘୋଷଣା

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ। ପୁଣି ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ପାଇଁ ସହାୟତା ମିଳିବ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯିବ। ଯଦି କୌଣସି ସାମ୍ବାଦିକ ସ୍ଥାୟୀ ଭାବେ ଅକ୍ଷମ ହୁଅନ୍ତି, ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବ। କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଆଜି ଏମିତି କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବା ସହ ସୁବିଧାଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସାମ୍ବାଦିକଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ସହ ଅଧିକ ଆର୍ଥିକ ସହାୟତାର ବି ବ୍ୟବସ୍ଥା କରାଯାଇଛି। ଯଦି କୌଣସି କ୍ଷେତ୍ରରେ ଚିକିତ୍ସା ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ସ୍ୱାସ୍ଥ୍ୟଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟରୁ ଅନୁମତିକ୍ରମେ ଅଧିକ ସହାୟତାର ବ୍ୟବସ୍ଥା କରାଯିବ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ଼ ହେବ। ଋଣ କରିଥିବା ସାମ୍ବାଦିକ ତାଙ୍କର ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ଼ ପରିମାଣ ପ୍ରତି ବର୍ଷ ପ୍ରଦାନ କରାଯିବ। ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଓ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ଼ ହେବ। ନିୟମିତ ଦେୟ ପ୍ରଦାନ କରିସାରିବା ପରେ ଏହି ଛାଡ଼ ପରିମାଣ ପ୍ରତି ବର୍ଷ ପ୍ରଦାନ କରାଯିବ।

ସାମ୍ବାଦିକମାନଙ୍କ ବୃତ୍ତିଗତ ଦକ୍ଷତା ବଢ଼ାଇବା ପାଇଁ ବି ସରକାର ଉଦ୍ୟମ କରିଛନ୍ତି। ଆଇଆଇଏମ୍‌ସି ପରି ସଂସ୍ଥାଗୁଡ଼ିକରେ ୨୫ରୁ ୩୫ ଜଣ ସାମ୍ବାଦିକଙ୍କୁ ରାଜ୍ୟ ଭିତରେ ୩ ଦିନିଆ ଏକ ସପ୍ତାହ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟ ସରକାର ୫ ବର୍ଷିୟା ବ୍ଲକ୍‌ ପିରିୟଡ୍‌ ମଧ୍ୟରେ ଜଣ ପିଛା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ। ବୈଠକ ପରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମରେ ଏହି ସୁବିଧାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସୂଚନା ଓ ଲୋକସମ୍ପର୍କ ସଚିବ ହେମନ୍ତ ଶର୍ମା, ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ନିକଟରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କରିଥିଲେ। ୨୦୧୮ ଜୁନ୍‌ ପହିଲା ଠାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩୨୩୩ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର