୬୬ ପୌରସଂସ୍ଥାରେ ନିଯୁକ୍ତ ହେଲେ ପ୍ରଶାସକ

ପୌର ନିର୍ବାଚନ ନେଇ ଅନିଶ୍ଚିତତା ଜାରି, ନଭେମ୍ବରରେ ସରୁଛି ଆଉ ୨୨ ସଂସ୍ଥାର କାର୍ଯ୍ୟକାଳ

0 270

ଭୁବନେଶ୍ୱର : ପୌର ନିର୍ବାଚନ ନେଇ ଅନିଶ୍ଚିତତା ଜାରି ରହିଥିଲା ବେଳେ ଆଜି ୬୬ଟି ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଛି। ସରକାର ଆଜି ଏହି ସଂସ୍ଥାଗୁଡ଼ିକ ପାଇଁ ପ୍ରଶାସକ ନିଯୁକ୍ତି ଦେଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ସମେତ ୩୦ଟି ପୌରପାଳିକା ଓ ୩୫ଟି ଏନ୍ଏସିରେ ପ୍ରଶାସକ ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ସୁପ୍ରିମକୋର୍ଟରେ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ଆବେଦନ ଖାରଜ ହେଲା ପରେ ବି ନିର୍ବାଚନ ନେଇ କୌଣସି ସମ୍ଭାବନା ଦେଖାଯାଉନି। ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ଆଶା କ୍ଷୀଣ।

ପ୍ରଚଳିତ ନିୟମ ଅନୁଯାୟୀ ପୌରସଂସ୍ଥାର ନିର୍ବାଚିତ କାଉନ୍‌ସିଲ୍‌ର ପ୍ରଥମ ବୈଠକ ଯେବେ ବସେ, ସେହି ଦିନ ଠାରୁ କାର୍ଯ୍ୟକାଳ ଆରମ୍ଭ ହୁଏ। ଆଜି ଯେଉଁ ପୌରସଂସ୍ଥାଗୁଡ଼ିକର ପ୍ରଶାସକ ନିଯୁକ୍ତ ହୋଇଛନ୍ତି, ସେହି ସଂସ୍ଥାଗୁଡ଼ିକର ପ୍ରଥମ କାଉନ୍‌ସିଲ୍ ବୈଠକ ୨୦୧୩ ସେପ୍ଟେମ୍ବର୍‌ ୩୦ ତାରିଖରେ ବସିଥିଲା। ତେଣୁ ସେମାନଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଆ‌ସନ୍ତାକାଲି ଠାରୁ ସଂପୃକ୍ତ ପୌର ସଂସ୍ଥାଗୁଡ଼ିକରେ ଆଉ ନିର୍ବାଚିତ ପ୍ରତିନିଧି ରହିବେ ନାହିଁ। ପ୍ରଶାସକମାନେ ଦାୟିତ୍ବ ତୁଲାଇବେ। ଆସନ୍ତା ନଭେମ୍ବର ମାସରେ ଆଉ ୨୨ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଛି ବୋଲି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସୂଚନା ଦେଇଛନ୍ତି।

Panda Mobile only

ବ୍ରହ୍ମପୁର ମହାନଗର ନିଗମରେ ପ୍ରଶାସକ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାର ଜିଲ୍ଲା ମୁଖ୍ୟାଳୟରେ ଥିବା ପୌରପାଳିକାର ପ୍ରଶାସକ ଭାବେ ଜିଲ୍ଲାପାଳଙ୍କୁ ଦାୟିତ୍ୱ  ଦିଆଯାଇଛି। ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, କେନ୍ଦୁଝର ଜିଲ୍ଲାର କେନ୍ଦୁଝରଗଡ଼ ପୌରପାଳିକା ଏବଂ ନୟାଗଡ଼ ଜିଲ୍ଲାର ନୟାଗଡ଼ ଏନ୍ଏସିର ପ୍ରଶାସକ ଭାବେ ଜିଲ୍ଲାପାଳମାନେ ଦାୟିତ୍ବରେ ରହିବେ। ଏହା ବାଦ୍ ଅନ୍ୟ ପୌରସଂସ୍ଥା ଓ ଏନ୍ଏସିରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଆର୍‌ଡିସିଙ୍କ ସଚିବ ପ୍ରମୁଖ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି।

ଅପରପକ୍ଷରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋ‌ର୍ଟ ବଳବତ୍ତର ରଖିଛନ୍ତି। ତେଣୁ ପୌର ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ନିକଟ ଭବିଷ୍ୟତରେ ନିର୍ବାଚନ ନେଇ କୌଣସି ସମ୍ଭାବନା ଏ ଯାଏ ଦେଖାଯାଇ ନାହିଁ। ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ସୁପ୍ରି‌ମକୋର୍ଟଙ୍କ ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ମିଳି ନାହିଁ। ତାହା ଆସିଲା ପରେ ତର୍ଜମା କରାଯାଇ ଯାହା ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.