ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସଂସ୍କୃତି ବିଭାଗର ଉପ ସଚିବ ମନସ୍ୱିନୀ ସାହୁଙ୍କୁ କଟକ ସିଡିଏର ସଚିବ ଭାବେ ବଦଳି କରାଯାଇଛି। ଟେକ୍ସଟ୍‌ ବୁକ୍‌ ବ୍ୟୁରୋର ନିର୍ଦ୍ଦେଶକ ଉମାକାନ୍ତ ତ୍ରିପାଠୀଙ୍କୁ ଶ୍ରମ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସତ୍ୟ ରଞ୍ଜନ ସାହୁ ସେରିଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ସେ ଉତ୍କଳିକା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

କଟକ ସିଡିଏରେ ଓଏସ୍‌ଡି ଥିବା କବୀନ୍ଦ୍ର କୁମାର ସାହୁଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ପୂର୍ବରୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳଙ୍କ ବଦଳି ବାତିଲ୍‌ ହୋଇଛି। ସେ ପୂର୍ବ ପରି ପାରାଦୀପରେ କାମ କରିବେ। ସେହିପରି ଏମ୍‌କେସିଜି ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଥିବା ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ବିଶ୍ୱାଳଙ୍କ ବଦଳି ବାତିଲ୍‌ କରାଯାଇଛି। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ରାଜସ୍ୱ ପର୍ଷଦର ଅତିରିକ୍ତ କମିସନର୍‌, ବନ୍ଦୋବସ୍ତ ଭାବେ ନିଯୁକ୍ତି ମିଳିଛି। ମୟୂରଭଞ୍ଜରେ ତାଙ୍କ ସ୍ଥାନ ନେଇଛନ୍ତି ସନ୍ତୋଷ ପଣ୍ଡା। ଯାଜପୁର ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ଢେଙ୍କାନାଳ ଆର୍‌ଆର୍‌ସିଏସ୍‌ର ସ୍ୱତନ୍ତ୍ର ଏଲ୍‌ଏ ଆଣ୍ଡ୍‌ ଆର୍‌ଓ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର