ଯୋଗ ଦିବସ ପାଳିଲେନି ଓଡ଼ିଶା ସରକାର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ନାହିଁ। ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲେ ବି ଶେଷ ମୂହୁର୍ତ୍ତରେ ତାହାକୁ ବାତିଲ୍‌ କରିଦିଆଯାଇଛି। ଯୋଗ ଦିବସ ପାଳନ କରା ନ ଯିବା ସମ୍ପର୍କରେ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ବିରୋଧୀ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲା ବେଳେ ବିଜେଡି ତାହାର ଜବାବ୍‌ ଦେଇଛି।

ଆନ୍ତର୍ଜାତିକ ଯୋଗ ଦିବସ ଆରମ୍ଭ ହେବା ପର ଠାରୁ ପ୍ରତି ବର୍ଷ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରାଯାଏ। ଚଳିତ ବର୍ଷ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ଜୟଦେବ ଭବନରେ ଯୋଗ ଦିବସ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା। ଏଥି ପାଇଁ କାର୍ଡ ଛପା ସରିଥିଲା। କିନ୍ତୁ ହଠାତ୍‌ ୨୪ ଘଣ୍ଟା ପୂର୍ବରୁ ଉତ୍ସବକୁ ବନ୍ଦ କରିଦିଆଗଲା। ଶେଷ ମୂହୁର୍ତ୍ତରେ ସରକାର କାହିଁକି ଏପରି ପଦକ୍ଷେପ ନେଲେ, ତାହା ବୁଝାପଡ଼ୁ ନାହିଁ। ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କରେ ମୁହଁ ଖୋଲିବାକୁ ନାରାଜ।

କିନ୍ତୁ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଯୋଗ ଦିବସ ପାଳନ ନ କରିବା ଦୁର୍ଭାଗ୍ୟଜନକ। ରାଜନୈତିକ କାରଣ ପାଇଁ ଉତ୍ସବ ପାଳନ ନ କରି ସରକାର ନିଜର ସଂକୀର୍ଣ୍ଣ ମନୋଭାବକୁ ପ୍ରଦର୍ଶନ କରିଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ରାଷ୍ଟ୍ରବିରୋଧୀ ଆଭିମୁଖ୍ୟ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯୋଗ ଦିବସ ପାଳନ କରିବାରେ କିଛି ଅସୁବିଧା ନାହିଁ। ସରକାର ଏହି ଦିବସରେ କିଛି ସରକାରୀ କାର୍ଯ୍ୟକ୍ରମ ରଖିବା କଥା। କିନ୍ତୁ ବିଜେଡିର ଆଭିମୁଖ୍ୟ କ’ଣ, ତାହା ବୁଝାପଡ଼ୁ ନାହିଁ। ସବୁବେଳେ କହୁଛନ୍ତି ଆମେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ରକ୍ଷା କରିବୁ। ପୁଣି ବହୁ ସମୟରେ ବିଜେପି ଆଡ଼କୁ ଅଧିକ ନିବିଡ଼ ହେଉଥିବା ଦେଖାଯାଉଛି। ପୁଣି ଯୋଗ ଦିବସ ପାଳନ କରୁ ନାହାନ୍ତି।

ବିଜେଡି ସାଧାରଣ ସମ୍ପାଦକ ଅରୁଣ ସାହୁ କହିଛନ୍ତି, ବିରୋଧୀଙ୍କ ଏପରି ଅଭିଯୋଗ ଭିତ୍ତିହୀନ। ସରକାର କାହାକୁ ମନା କରି ନାହାନ୍ତି ଯୋଗ ଦିବସ ପାଳନ କରିବାକୁ। ଆହୁରି ମଧ୍ୟ ରାଜ୍ୟ ସରକାର ଏହାକୁ ପାଳନ କରିବା ବାଧ୍ୟତାମୂଳକ ବୋଲି କେଉଁଠି କୁହାଯାଇ ନାହିଁ। ତେଣୁ ଏହାକୁ ଏକ ପ୍ରସଙ୍ଗ କରିବାର ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର