ଗ୍ରିଡକୋର ୩ ହଜାର କୋଟି ଋଣ ପାଇଁ ସରକାର ଗ୍ୟାରେଣ୍ଟର

୫ବର୍ଷରେ ଖୁସି ଯୋଜନାରେ ବ୍ୟୟ ୪୬୬ କୋଟି, ଆହାର ଭୋଜନ ମୂଲ୍ୟ ୨୦ରୁ ୨୩ ଟଙ୍କାକୁ ବୃଦ୍ଧି, କାଳିଆ ଛାତ୍ରବୃତ୍ତିକୁ କ୍ୟାବିନେଟ ମୋହର

ଭୁବନେଶ୍ବର : ବିଦ୍ୟୁତ ଉତ୍ପାଦନ କମ୍ପାନୀଙ୍କୁ ବିଦ୍ୟୁତ ଦେୟ ବାବଦରେ ପଇଠ କରିବାକୁ ଆର୍ଥିକ ସଂସ୍ଥା ଓ ବଣ୍ଡ ଜରିଆରେ ଗ୍ରିଡକୋ ଋଣ କରିବ। ଏଥିପାଇଁ ୩ ହଜାର କୋଟି ଟଙ୍କାର ଋଣ ପାଇଁ ସରକାର ଗ୍ୟାରେଣ୍ଟର ରହିବେ। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସାନିଟାରୀ ନାପକିନ୍ ଯୋଜନା ଖୁସିରେ ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୪୬୬ କୋଟି ୮ ଲକ୍ଷ ଟଙ୍କା। ସବୁ ସହରାଞ୍ଚଳରେ ଆହାର ଭୋଜନ ବାବଦରେ ଖର୍ଚ୍ଚ ହେଉଥିବା ୨୦ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ସେହିପରି କାଳିଆ ଚାତ୍ରବୃତ୍ତିକୁ କ୍ୟାବିନେଟ ଅନୁମୋଦନ କରିଛି।

ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ, ବିଦ୍ୟୁତ ଉତ୍ପାଦନ କମ୍ପାନୀଙ୍କଠୁ ବିଦ୍ୟୁତ କିଣିବା ବାବଦରେ ଆସନ୍ତା ଦିନରେ ଗ୍ରୀଡକୋକୁ ୩ ହଜାର କୋଟି ଟଙ୍କାର ଋଣ କରିବାକୁ ପଡ଼ିବ। ଏଥିପାଇଁ ସରକାର ଗ୍ୟାରେଣ୍ଟର ରହିବେ। ସେହିପରି ବିଦ୍ୟାଳୟମାନଙ୍କରେ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେବାକୁଥିବା ଖୁସି ଯୋଜନାରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ୧୭ ଲକ୍ଷ ୨୫ ହଜାର ଛାତ୍ରୀଙ୍କୁ ବିନାମୂଲ୍ୟରେ ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ। ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାରଲାଲ ନେହେରୁ ବିଦ୍ୟାଳୟର ଛାତ୍ରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ପ୍ରତ୍ୟେକ ଛାତ୍ରୀଙ୍କୁ ମାସକୁ ୧୮ଟି ବେଲ୍ଟ ଲେସ ସାନିଟାରୀ ନାପକିନ ଯୋଗାଇ ଦିଆଯିବ। ସେହିପରି ବିଭିନ୍ନ ଦ୍ରବ୍ୟର ବଜାର ଦର ଓ ମଜୁରି ବୃଦ୍ଧିକୁ ଦୃଷ୍ଟିରେ ରଖି ସବୁ ସହରାଞ୍ଚଳରେ ଆହାର କେନ୍ଦ୍ରରେ ମିଳୁଥିବା ଭୋଜନ ଖର୍ଚ୍ଚ ବାବଦ ଅର୍ଥକୁ ୨୦ଟଙ୍କାରୁ ୨୩ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି । ଅଥଚ ହିତାଧିକାରୀଙ୍କ ଦେୟ ପରିମାଣ ୫ ଟଙ୍କା ଅପରିବର୍ତ୍ତିତ ରଖାଯାଇଛି।

କାଳିଆ ଛାତ୍ରବୃତ୍ତି ଯୋଜନାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ଛାତ୍ରବୃତ୍ତି ଯୋଜନାରେ ରାଜ୍ୟରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପ୍ରଦତ୍ତ ବୈଷୟିକ, ବୃତ୍ତିଗତ କିମ୍ବା ସମନ୍ବିତ ଶିକ୍ଷା ଯଥା ବି.ଇ, ବି.ଟେକ୍, ଏମବିବିଏସ ପରି ମୋଟ ୩୬ଟି ପାଠ୍ୟକ୍ରମରେ ଛାତ୍ରବୃତ୍ତି ପ୍ରଦାନ କରାଯିବ। କାଳିଆ ଯୋଜନାର ହିତାଧିକାରୀଙ୍କ ସନ୍ତାନସନ୍ତତିମାନଙ୍କର ଉଚ୍ଚଶିକ୍ଷା ପାଇଁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। କାଳିଆ ଛାତ୍ରବୃତ୍ତି ପାଇଁ ଡାକ୍ତର, ଯନ୍ତ୍ରୀ, ପରିଚାଳକ, କୃଷି ବୈଜ୍ଞାନିକ, ପ୍ରାଣୀଧନ ଡାକ୍ତର ଓ ନର୍ସ ପ୍ରଭୃତି ହୋଇପାରିବେ। ସେହିପରି କ୍ୟାବିନେଟର ଅନ୍ୟ ନିଷ୍ପତ୍ତି ମୁତାବକ ଅନୁଗୁଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଓ ଝାରସୁଗୁଡ଼ା ପୌରପାଳିକାର ଏକଚାଳି ଉଚ୍ଚ ବିଦ୍ୟାଳୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତରିକରଣ ନିମନ୍ତେ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ସମ୍ବନ୍ଧିତ ଖବର