ପୂଜା ଅଗ୍ରିମ ୨୦ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ସରକାର କର୍ମଚାରୀଙ୍କୁ ପ୍ରଦାନ କରୁଥିବା ପୂଜା ବା ଫେ‌ଷ୍ଟିଭାଲ୍‌ ଆଡ୍‌ଭାନ୍ସ ରାଶିକୁ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ କରିଛନ୍ତିି। ଏ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ରାଜ୍ୟ ସରକାର ପାର୍ବଣ ଋତୁରେ କର୍ମଚାରୀଙ୍କୁ ଦିଆଯାଉଥିବା ପୂଜା ଅଗ୍ରିମ ବୃଦ୍ଧି କରାଯାଇଛି। ସପ୍ତମ ବେତନ କମିସନ ସୁପାରିସ ଅନୁସାରେ ରାଜ୍ୟ ପେ-ମାଟ୍ରିକ୍ସ ଅନୁଯାୟୀ ପେ-ଲେବଲ୍‌ ୯ କିମ୍ବା ତା’ ତଳକୁ ଥିବା କର୍ମଚାରୀ ଏହି ଅଗ୍ରିମ ପୂଜା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହି ରାଶିକୁ କର୍ମଚାରୀମାନେ ନିଜ ନିଜ ଦରମାରୁ ୧୦ଟି ସମାନ ମାସିକ କିସ୍ତିରେ ପରିଶୋଧ କରିପାରିବେ। ଯେଉଁମାନେ ଋଣ ସଂପୂର୍ଣ୍ଣ ପରିଶୋଧ କରିନପାରିବେ ସେମାନେ ପରବର୍ତୀ ପୂଜା ଅଗ୍ରିମ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର