ମାଡ଼ ପରେ ମଲମ : ଜିଆର୍‌ଏସ୍‌ଙ୍କ ଦରମା ବଢ଼ିଲା

ଭୁବନେଶ୍ୱର : ଗତକାଲି ବିକ୍ଷୋଭ ବେଳେ ଗ୍ରାମ ରୋଜଗାର ସେବକ ବା ଜିଆରଏସଙ୍କୁ ମାଡ଼ ମାରିଥିଲା ପୁଲିସ। ୨୪ ଘଣ୍ଟା ପରେ ମାଡ଼ରେ ମଲମ ଲଗାଯାଇଛି। ଆଜି ରାଜ୍ୟ ସରକାର ଜିଆରଏସଙ୍କ ଦରମା ବଢ଼ାଇଛନ୍ତି। ମୂଳ ଦରମା ତୁଳନାରେ ୨ ହଜାର ଟଙ୍କା ଅଧିକ ପାଇବେ। ଏହାଛଡ଼ା ବିଭିନ୍ନ ସ୍କିମ୍‌ ଆଧାରରେ ସହାୟତା ରାଶି ୧୮ ଶହ ଟଙ୍କା ବଢାଯାଇଛି। ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ଘୋଷଣା କରିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଜିଆର୍‌ଏସ୍‌ ମାସିକ ପ୍ରାୟ ୮ହଜାର ୮ଶହ ଟଙ୍କା ପାଇବେ। ତେବେ ଜିଆର୍‌ଏସ୍‌ଙ୍କୁ ନେଇ ରାଜନୀତି ମୁଣ୍ଡ ଟେକିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନକାରୀଙ୍କୁ ସମର୍ଥନ କରିବା ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀ ମହାରଥୀ।

ଉଲ୍ଲେଖଯୋଗ୍ୟ, ଗ୍ରାମ୍ୟ ରୋଜଗାର ସେବକମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମାକୁ ପେ ଓ ଗ୍ରେଡ୍‌ ପେ ଥାଇ ୯ହଜାର ଟଙ୍କାକୁ ବୃଦ୍ଧି କରିବା, ଖାଲି ପଡ଼ିଥିବା ନିର୍ବାହୀ ଅଧିକାରୀ ପଦବିରେ ଶତପ୍ରତିଶତ ନିଯୁକ୍ତି, ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ଆକସ୍ମିକ ବିୟୋଗ ଓ ଅକର୍ମଣ୍ୟ ପାଇଁ ସରକାରୀ ଅନୁକମ୍ପା ରାଶି ପ୍ରଦାନ କରିବା ଆଦି ଦାବିରେ ସଂଘର ଶହ ଶହ କର୍ମୀ ଆନ୍ଦୋଳନ ଚଳାଇଥିଲେ। ହେଲେ ଶୁକ୍ରବାର ଅର୍ଥାତ୍‌ ଗତକାଲି ମାଷ୍ଟରକ୍ୟାଣ୍ଟିନ ନିକଟରେ ଜିଆର୍‌ଏସ୍‌ ଶୋଭାଯାତ୍ରା ଯାଉଥିବା ସମୟରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ପୁଲିସ ଓ ଜିଆର୍‌ଏସ୍‌ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ଧୀରେ ବଢିଥିଲା ଓ ପୁଲିସ ଲାଠି ଚାର୍ଜ କରିବାକୁ ପଛାଇନଥିଲା। ଫଳରେ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମ୍‌ଜି ଅଞ୍ଚଳ। ଏହି ଘଟଣାରେ ପ୍ରାୟ ୨୦ରୁ ଅଧିକ ଜିଆର୍‌ଏସ୍‌ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଥିଲା ଓ କିଛି ଜିଆର୍‌ଏସ୍‌ଙ୍କୁ ପୁଲିସ ଗିରଫ କରିଥିଲା। ରାତିରେ ପୁଲିସ ସେମାନଙ୍କୁ ଘଉଡାଇବାକୁ ବି ଉଦ୍ୟମ କରିଥିଲା।

ଆଜି ଆନ୍ଦୋଳନରତ ଗ୍ରାମ ରୋଜଗାର ସେବକ ମାନଙ୍କ ଦାବିକୁ ସମର୍ଥନ ଜଣାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବାକୁ ବିଜେପି କାର୍ଯ୍ୟାଳୟ ଆସିଥିବା ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ଶତାଧିକ ସଦସ୍ୟ ମାନଙ୍କୁ ଗାଁ ସ୍ତରରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। କହିଥିଲେ, ଓଡିଶାର ଗ୍ରାମ ରୋଜଗାର ସେବକ ମାନଙ୍କର ଦାବି ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ପାଖରେ ପହଂଚାଇବା ସହ ସେମାନଙ୍କ ଦାବି ସପକ୍ଷରେ ମତ ରଖିବେ । ତେବେ ଦାବି ଜଣାଇ ପ୍ରଜାତାନ୍ତ୍ରିକ ପ୍ରତିବାଦ କରିବାକୁ ଆସିଥିବା ଗ୍ରାମ ରୋଜଗାର ସେବକ ମାନଙ୍କୁ ପୋଲିସ ଲଗାଇ ଆକ୍ରମଣ କରିବା, ଝିଅ ମାନଙ୍କ ଦେହରେ ପୁରୁଷ ପୋଲିସ ହାତ ଦେବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଧାରଣାରେ ବସିବା ପାଇଁ ପୋଲିସ ଅନୁମତି ଦେଉ ନ ଥିବାରୁ ବିଜେପି ତରଫରୁ ଗ୍ରାମ ସେବକ ମାନଙ୍କୁ ପୋଲିସ ନିୟମ ଅନୁସାରେ ଅନୁମତି ଓ ସ୍ଥାନ ଯୋଗାଇ ଦେବା ପାଇଁ ପ୍ରତିନିଧି ମଣ୍ଡଳ ସାକ୍ଷାତ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଆଜି ଶ୍ରୀ ମହାରଥୀ ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି ଯେ ଜିଆର୍‌ଏସ୍‌ଙ୍କ ଦାବି ପ୍ରତି ସରକାର ସଚେତନ ଅଛନ୍ତି। ସେମାନଙ୍କ ସହିତ ତିନି ତିନି ଥର ଆଲୋଚନା ହୋଇଛି। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ହିଁ ସେମାନଙ୍କୁ ଆନ୍ଦୋଳନ କରିବା ଲାଗି ଉସୁକାଉଛନ୍ତି। ସେ କେନ୍ଦ୍ର ସରକାରଙ୍କୁ କୁହନ୍ତୁ ଚାକିରି ସ୍ଥାୟୀ କରିଦେବେ। ଦିଲ୍ଲୀ ଚାଲ ସାଙ୍ଗ ହୋଇ ଲଢିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଥିଲେ। ପ୍ରତ୍ୟୁତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ସେ ବିତର୍କ ପାଇଁ ପ୍ରସ୍ତୁତ। କିନ୍ତୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆରେ ବିତର୍କ କରିବା ଲାଗି ମନ୍ତ୍ରୀ ଶ୍ରୀ ମହାରଥୀ ମୁଖ୍ୟମନ୍ତ୍ରୀଙ୍କୁ ବୁଝାନ୍ତୁ।

ସମ୍ବନ୍ଧିତ ଖବର