ମଦ ପିଇ ସ୍କୁଲ ଆସିଲେ କାର୍ଯ୍ୟାନୁଷ୍ଠାନ

ପୁଣିଥରେ ଗାଇଡ୍‌ଲାଇନ୍‌ ଜାରି କଲା ଗଣଶିକ୍ଷା ବିଭାଗ
କ୍ୟାମ୍ପସ ନିକଟରୁ ନିଶା ଦୋକାନ ହଟାଇବାକୁ ନିର୍ଦେଶ

ଭୁବନେଶ୍ୱର : ଯଦି କୌଣସି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ/ନିଶା ସେବନ କରି ବିଦ୍ୟାଳୟ ଆସନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ବିଦ୍ୟାଳୟର ପ୍ରଧାନଶିକ୍ଷକ ସମ୍ପୃକ୍ତ ଶିକ୍ଷକ/କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

୨୦୧୭ରେ ଶତାଧିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ନେଇ ଅଭିଯୋଗ ଆସିବା ପରେ ସୁରକ୍ଷା ନେଇ ଏବେ ପୁଣିଥରେ ଚେଇଁ ଉଠିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପୁଣିଥରେ ସୁରକ୍ଷା ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କୌଣସି ସ୍ଥାନରେ ଯଦି ଛାତ୍ରଛାତ୍ରୀଙ୍କ ଅଧିକାର ଓ ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ନେଇ ଦୃଷ୍ଟିକୁ ଆସେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କ୍ଲାସରୁମ୍‌ଠାରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡିଂ ପରି ବିଷୟ ପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି।

ସରକାରୀ ଓ ବେସରକାରୀ ବିଦ୍ୟାଳୟ ସବୁଠି ପାଚେରି ରହିବା ବାଧ୍ୟତାମୂଳକ। କ୍ଲାସ ଚାଲିଥିବା ସମୟରେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା, କ୍ୟାମ୍ପସ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ସ୍କୁଲ ନିକଟରେ ଟ୍ରାଫିକ୍‌ ନିୟୋଜନ, ସୁରକ୍ଷା ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା, ସ୍କୁଲ ବସ୍‌କୁ ସ୍ୱତନ୍ତ୍ର ରଙ୍ଗ କରିବା ଏବଂ ସ୍ଥାନୀୟ ପୁଲିସ ଦ୍ୱାରା ବସ୍‌ଗୁଡ଼ିକର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। କ୍ୟାମ୍ପସରେ ଥିବା ବିଲ୍‌ଡିଂଗୁଡ଼ିକରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ଉପଯୋଗୀ ବ୍ୟବସ୍ଥା ରହିବା ଆବଶ୍ୟକ। ପାନୀୟ ଜଳ, ଶୌଚାଳୟ, ବର୍ଜ୍ୟବସ୍ତୁ ପକାଇବା ସ୍ଥାନ, ରୋଷେଇ ଘରକୁ ସଫାସୁତୁରା ରଖିବା, ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ଲାଗି ବିଲ୍‌ଡିଂରେ ବ୍ୟବସ୍ଥା କରିବାକୁ କୁହାଯାଇଛି। ଜୁରୁରୀକାଳୀନ ଫାଟକ, ଅଗ୍ନିକାଣ୍ଡର ମୁକାବିଲା ଲାଗି ଆବଶ୍ୟକ ପାଣି, ବାଲି ମହଜୁଦ୍‌ ରଖିବା, ପ୍ରତି ବିଦ୍ୟାଳୟର ବିଲଡିଂ ସୁରକ୍ଷା ଅଡିଟ୍‌ କରିବା ବାଧ୍ୟତାମୂଳକ। ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକୁ ଭାଙ୍ଗିବାକୁ କୁହାଯାଇଛି।

କ୍ୟାମ୍ପସ୍‌ରେ ଯେପରି ବିଦ୍ୟୁତ ତାର ଓହଳି ନ ରହିବ, ଖେଳ ପଡ଼ିଆକୁ ସମାନ୍ତରାଳ କରିବା, ଖୋଲା କୂଅ ଓ ବାମ୍ଫି ନ ରଖିବା, କ୍ଲାସରୁମ୍‌କୁ ନିୟମିତ ସଫା, କାନ୍ଥକୁ ଲାଗି ବ୍ଲାକବୋର୍ଡ ରଖିବା, କ୍ଲାସରୁମ୍‌କୁ ପବନ ଚଳପ୍ରଚଳ କରୁଥିବା ଭଳି ବ୍ୟବସ୍ଥା ହେବା ଦରକାର। ପ୍ରତି ବିଦ୍ୟାଳୟରେ ଜଣେ ମହିଳା ଶିକ୍ଷକ ବାଧ୍ୟତାମୂଳକ ହୋଇଥିବାବେଳେ ପିଲାଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯିବ ନାହିଁ। ଏସମ୍ପର୍କରେ ସଚେତନତା ଲାଗି ଶିକ୍ଷକଙ୍କୁ ତାଲିମ ଦିଆଯିବ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ନିୟମିତ ଭାବେ କ୍ୟାମ୍ପସକୁ ଗସ୍ତ କରି ପିଲାଙ୍କ ସାଙ୍ଗରେ ଆଲୋଚନା କରିବେ। ହେଲପ୍‌ ଡେକ୍ସ ଖୋଲିବା, ଟୋଲ ଫି’ ନମ୍ବର, କିଶୋର ମଞ୍ଚ, ବାଲ ସଭା ପରି କାର୍ଯ୍ୟକ୍ରମ ହେବା ଆବଶ୍ୟକ।

ଯଦି କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବା ତେବେ ଭାରତୀୟ ପିଙ୍ଗଳ କୋଡ଼(ଆଇପିସି)ର ବିଭିନ୍ନ ଧାରା, ଅନୁସୂଚିତ ଜାତି ଓ ଜାନଜାତି ଆଇନ, ସିଭିଲ୍‌ ରାଇଟ୍‌ସ୍‌ ଆକ୍ଟ, ଶିଶୁଙ୍କ ଯୌନ ଶୋଷଣ ଆଇନ ୨୦୧୨, ଶିକ୍ଷା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୩ ଡିସେମ୍ବର ୨୭ରେ ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା, ଟିଇ ଓ ଏସ୍‌ସିଇଆରଟି, ରାମସା ଏବଂ ଓପେକା କର୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିଲା। ଏବେ ନିୟମକୁ କଡ଼ାକଡ଼ି ଲାଗୁ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର