ଡଙ୍ଗାବୁଡ଼ି ତନାଘନା ଆରମ୍ଭ : ଘରୋଇ ଯାତ୍ରୀବାହୀ ଡଙ୍ଗା ଉପରେ କଟକଣା

ତଦନ୍ତ ନିର୍ଦେଶ ଦେଲେ ସରକାର, ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ

ଖୋର୍ଧା/ଭୁବନେଶ୍ୱର :ଚିଲିକାରେ ଡଙ୍ଗାବୁଡ଼ିଯିବା ଓ ସେଥିରେ ୬ ଜଣଙ୍କର ପ୍ରାଣହାନି ଘଟଣାରେ ୪୮ ଘଣ୍ଟା ଧରି ହାତ ବାନ୍ଧି ବସିଥିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆଜି ହଠାତ୍‌ ତତ୍ପରତା ଦେଖାଇଛନ୍ତି। ‘ସମ୍ବାଦ’ରେ ଆଜି ଏ ନେଇ ବିସ୍ତତ ରିପୋର୍ଟ ପ୍ରକାଶ ପରେ ଡଙ୍ଗାବୁଡି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ସେହି ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ୍‌ ଥିଲା କି ନାହିଁ, ସର୍ବୋପରି ତାହା ପଞ୍ଜୀକୃତ ହୋଇଥିଲା ନା ନାହିଁ, ଏ ସବୁ ସଂପର୍କରେ ତଦନ୍ତ କରିବା ଲାଗି ରାଜ୍ୟ ସରକାର ଆଜି ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ଆଜି ଗଣମାଧ୍ୟମକୁ କହିଛନ୍ତି, ଏହି ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସେପଟେ ଖୋର୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକି ତନାଘନା କରିଛନ୍ତି। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ ସେଥିପାଇଁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। ଏହି କଟକଣା ଅନୁଯାୟୀ ବର୍ତ୍ତମାନ ପାଇଁ ଚିଲିକାରେ କୌଣସି ଘରୋଇ ଯାତ୍ରୀବାହୀ ଡଙ୍ଗା ଚଳାଚଳ କରିବ ନାହିଁ। କେବଳ ଓଟିଡ଼ିସି(ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସିଡ଼ିଏ (ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ)ରେ ବୋଟ ଚଳାଚଳ କରିବ।

ସେହିପରି ଗତ ଶନିବାର ଦିନ ଘଟିଥିବା ଡଙ୍ଗା ବୁଡ଼ି ଘଟଣା ସମ୍ପର୍କରେ ଖୋର୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ଵରେ ଏକ ଚାରିଜଣିଆ ଦଳ ତଦନ୍ତ କରିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଆସନ୍ତାକାଲିଠାରୁ ଜିଲ୍ଲା ପ୍ରଶାସନ ଦେବେ।

ଆଜି ଜିଲ୍ଲାପାଳ ତାଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଚିଲିକାରେ ଡଙ୍ଗା ବୁଡ଼ିଯିବା ଓ ସେଥିରେ ୬ ଜଣଙ୍କର ସଲୀଳ ସମାଧି ଘଟଣାର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବିଶେଷକରି ଚିଲିକାରେ ଘରୋଇ ଯାତ୍ରୀବାହୀ ଡଙ୍ଗାର ବିପଦଜନକ ଚଳାଚଳକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ବର୍ତ୍ତମାନ ପାଇଁ ଚିଲିକାରେ କୌଣସି ଘରୋଇ ଯାତ୍ରୀବାହୀ ଡଙ୍ଗା ଚଳାଚଳ କରିବ ନାହିଁବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଜିଲ୍ଲାପାଳ କହିଛନ୍ତି, ୨୦୦୪ ମସିହାରେ ପ୍ରଣୟନ କରାଯାଇଥିବା ବୋଟ୍‌ ନିୟମକୁ ପାଳନ କରୁଥିବା ଡଙ୍ଗାକୁ କେବଳ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରାଯିବ। ଏଥିପାଇଁ ଡଙ୍ଗାର ପଞ୍ଜୀକରଣ, ଡଙ୍ଗାର ଅବସ୍ଥା, ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥାର ସର୍ତ୍ତାବଳୀକୁ ପୂରଣ କରାଯିବା, ଚାଳକର ଡ୍ରାଇଭିଂ ଲାଇସେନସ୍‌ ପ୍ରଭୃତିକୁ ଯାଞ୍ଚ କରାଯିବ। ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଏହି ଯାଞ୍ଚ କରିବେ। ଏହି ଯାଞ୍ଚ ପରେ ଫିଟ୍‌ନେସ ସାର୍ଟିଫିକେଟ ମିଳିଥିବା ଘରୋଇ ଯାତ୍ରୀବାହୀ ଡଙ୍ଗାକୁ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯିବ। ସେହିପରି ଯାତ୍ରୀମାନଙ୍କୁ ସୁରକ୍ଷା ଜ୍ୟାକେଟ ବ୍ୟବହାର ଉପରେ ଅଧିକ ଧ୍ୟାନ ଦିଆଯିବବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଡଙ୍ଗା ବୁଡ଼ି ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ଖୋର୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ଵରେ ଏକ ଚାରିଜଣିଆ ଦଳ(ଫାକ୍ଟ ଫାଇଡ଼ିଙ୍ଗ ଟିମ୍‌) ଗଠିତ କରାଯାଇଛି। ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟ ୨ ଜଣ ସଦସ୍ୟ ରହିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏହି କମିଟି ପ୍ରାରମ୍ଭିକ ତଦନ୍ତ କରିବ। ଆଜିର ଏହି ବୈଠକରେ ଏସପି ଦିପ୍ତିରଂଜନ ରାୟ, ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିକାରୀ, ଚିଲିକା ଡିଏଫ୍‌ଓ, ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ବିଡିିଓ, ତହସିଲଦାର ପ୍ରମୁଖ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର