ମଦ ପରେ ଗଞ୍ଜେଇ : ଔଷଧୀୟ ଦ୍ରବ୍ୟ ଭାବେ ବ୍ୟବହାର କରିବା ବାହାନାରେ ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ ଫନ୍ଦି

ଆଜି ବସିବ ବୈଠକ, ଚିଠି ଲେଖିଛି ବିଭାଗ

ଭୁବନେଶ୍ବର : ଅଧିକ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ମାଗିଥିବା ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି। ନିଶା ବିରୋଧୀ ସଂଗଠନମାନେ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ଘର ଘେରାଉ କରିଥିଲେ। ବିଧାନସଭାରେ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ କଂଗ୍ରେସ ବିଧାୟକ। ହେଲେ ଅବକାରୀ ବିଭାଗ ଏସବୁକୁ ନେଇ ଯେମିତି ଚିନ୍ତିତ ନୁହେଁ। ଅବକାରୀ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଏସ.ବି.କେ. ପ୍ରଧାନ ଅବକାରୀ ଅଧୀକ୍ଷକଙ୍କୁ ଆଉ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ଗଞ୍ଜେଇ ଚାଷ ସଂପର୍କରେ କୁହାଯାଇଛି। ଏହି ଚିଠିରେ କୁହାଯାଇଛି ଯେ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ଗଞ୍ଜେଇ ଚାଷକୁ ଆଇନସିଦ୍ଧ ଔଷଧୀୟ ଦ୍ରବ୍ୟ ଭାବେ ମାନ୍ୟତା ଦେବା ପ୍ରସଙ୍ଗରେ ଆଲୋଚନା ହେବ। ତେବେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଅଧିକ ସ୍ପଷ୍ଟତାର ଆବଶ୍ୟକତା ରହିଛି। ତେଣୁ ଏହି ବୈଠକରେ ଏହି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରିବାକୁ ଚାହାନ୍ତି ସଚିବ। ସଚିବଙ୍କ ପ୍ରକୋଷ୍ଠରେ ‌ହେବାକୁ ଥିବା ଏହି ବୈଠକରେ ଅବକାରୀ ଅଧୀକ୍ଷକ ଉପସ୍ଥିତ ରହିବା ଦରକାର ବୋଲି କୁହାଯାଇଛି।

ଅବକାରୀ ବିଭାଗର ଏହି ଚିଠି ଏବେ ସାମାଜିକ ସଂଗଠନଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଲାଣି। ଏପରିକି ପୁଲିସ ବିଭାଗ ବି ସମସ୍ୟାରେ ପଡ଼ିଯାଇଛି। ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସକରକାର ଔଷଧୀୟ ଦ୍ରବ୍ୟ ଭାବେ ବ୍ୟବହାର କରିବା ବାହାନାରେ ଗଞ୍ଜେଇ ଚାଷକୁ ସବୁଜ ସଙ୍କେତ ଦେବେ କି?

ଗଞ୍ଜେଇ ଚାଷକୁ ବେଆଇନ କରାଯାଇଛି। ନିକଟରେ ଗଜପତି ଜିଲ୍ଲାରେ ପୁଲିସ ଓ ଅବକାରୀ ଅଧିକାରୀ ମିଳିତ ଚଢ଼ଉ କରି ପ୍ରାୟ ୧୫କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି। କିଛି ମାସ ତଳେ କୋରାପୁଟରେ ପୁଲିସ ୧୭୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଉତ୍ତରପ୍ରଦେଶର ୭ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷରେ ୧୦ଟି ଜିଲ୍ଲାରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷ କରାଯାଉଛି। ଏ ମଧ୍ୟରୁ ଅନୁଗୁଳ, ଦେବଗଡ଼, ରାୟଗଡ଼ା, ଗଜପତି, କନ୍ଧମାଳ, ମାଲକାନଗିରି ଓ ବୌଦ୍ଧ ଭଳି ଜିଲ୍ଲାରେ ଗଞ୍ଜେଇ ଚାଷ ପୁଲିସ ଓ ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲାଣି। କାରଣ ଏହା ନକ୍ସଲଙ୍କ ରୋଜଗାରର ମାଧ୍ୟମ ପାଲଟିଛି।

ପୁଲିସ ଲକ୍ଷ୍ୟ ରଖିଥିଲା ଯେ ୨୦୧୮-୧୯ ବର୍ଷରେ ରାଜ୍ୟର ବର୍ଷକ ଭିତରେ ୫୩୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯିବ। କିନ୍ତୁ ପୁଲିସ ଦାବି କରିଛି ଯେ ଏହାଠାରୁ ଦୁଇଗୁଣରୁ ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏହି ବର୍ଷ ୧୧ ହଜାର ୬୨୭ ଏକର ୨୪୪ ଡେସିମିଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏହା ହିଁ ସୂଚାଉଛି ଯେ ପୁଲିସର ହିସାବ ଠାରୁ ଯଥେଷ୍ଟ ଅଧିକ ପରିମାଣର ଗଞ୍ଜେଇ ଚାଷ କରାଯାଉଛି। ୨୦୧୮-୧୯ ବର୍ଷରେ ୮ହଜାର ଏକ ଗଞ୍ଜେଇ ଚାଷ ନଷ୍ଟ ପାଇଁ ଲକ୍ଷ୍ୟ ରହିଛି। ସରକାରଙ୍କ ଗୋଟିଏ ବିଭାଗ ପୁଲିସ ନକ୍ସଲ ଦମନ ପାଇଁ ଗଞ୍ଜେଇ ଚାଷ ରୋକିବାକୁ ଚେଷ୍ଟା କରୁଛି। ଅନ୍ୟପକ୍ଷରେ ଔଷଧ ଆଳରେ ଗଞ୍ଜେଇ ଚାଷକୁ ଅନୁମତି ଦେବା ଲାଗି ଉଦ୍ୟମ ବୁଦ୍ଧିଜୀବୀ ମହଲକୁ ଆଚମ୍ବିତ କରୁଛି।

ସମ୍ବନ୍ଧିତ ଖବର