ବଙ୍କାପାଦ ଶିଶୁଙ୍କ ଚିକିତ୍ସା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ରାଜ୍ୟରେ ବଙ୍କାପାଦ ଶିଶୁଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁବିକାଶ ଏବଂ ମିସନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ କିଓର ଇଣ୍ଟରନ୍ୟାସନାଲ ଇଣ୍ଡିଆ ଟ୍ରଷ୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ସ୍ୱାକ୍ଷରିତ ଚୁକ୍ତିନାମା ଅନୁଯାୟୀ, କିଓର ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ପିପିପି ମୋଡ୍‌ରେ ବଙ୍କାପାଦ ଚିକିତ୍ସା ସଂପର୍କରେ ରାଜ୍ୟସ୍ତରରେ ତାଲିମ ପ୍ରଦାନ କରାଯିବ। ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଓ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ସମେତ ୩ଟି ପୁରାତନ ମେଡିକାଲ କଲେଜ, କୋରାପୁଟ ମୁଖ୍ୟ ଚିକିତ୍ସାଳୟ ଓ ଆଇଜିଏଚ୍‌ ରାଉରକେଲାରେ ତାଲିମ୍‌ ପ୍ରଦାନ କରାଯିବ। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ନୋଡାଲ ତାଲିମ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଏହି ଚିକିତ୍ସା କେନ୍ଦ୍ରଗୁଡ଼ିକ ସହ କଟକ ଶିଶୁ ଭବନ ଓ ଓଲଟପୁର ନିରତାରରେ ଚିକିତ୍ସା ସୁବିଧା ରହିଛି।

ଜନ୍ମ ପରିବର୍ତ୍ତୀ ସମୟରେ ବଙ୍କାପାଦ ଶିଶୁଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ସହିତ କିଓର ଇଣ୍ଟରନ୍ୟାସନାଲ ଆବଶ୍ୟକ ସ୍ୱତନ୍ତ୍ର ଜୋତା ଯୋଗାଇ ଦେବ। ବଙ୍କାପାଦ ଚିକିତ୍ସା ଲାଗି ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଭିତ୍ତିଭୂମି ଯୋଗାଇ ଦେବେ। ଏହି ଚିକିତ୍ସା ସଂପୂର୍ଣ୍ଣ ଭାବେ ବିନା ମୂଲ୍ୟରେ ଉପଲବ୍ଧ ହେବ। ୨୦୧୨ ମସିହାରେ ଏହି ଯୋଜନା ରାଜ୍ୟରେ ଆରମ୍ଭ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା. ବି.କେ ବ୍ରହ୍ମା, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଅଶୋକ ଭୂୟାଁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ କୈଳାଶ ଚନ୍ଦ୍ର ସାହୁ ଓ କିଓର ଇଣ୍ଟରନାସନାଲ ଇଣ୍ଡିଆ ନିର୍ଦେଶକ ସନ୍ତୋଷ ଜର୍ଜ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।

ସମ୍ବନ୍ଧିତ ଖବର