ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ପ୍ରୟାସ : ଗଣଶିକ୍ଷା ବିଭାଗ ଓ ସାଇଟସେଭର୍ସ ମଧ୍ୟରେ ରାଜିନାମା

ଭୁବନେଶ୍ୱର : ରାଜ୍ୟରେ ଦୃଷ୍ଟିବାଧିତ, ସ୍ୱଳ୍ପ ଦୃଷ୍ଟି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆନ୍ତର୍ଜାତୀୟ ଉନ୍ନୟନ ସଂସ୍ଥା ‘ସାଇଟସେଭର୍ସ’ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ଓପେପା ସଭାଗୃହରେ ଅଜି ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା) ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ସାଇଟସେଭର୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ରବୀନ୍ଦ୍ରନାଥ ମହାନ୍ତି ରାଜିନାମାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଏହି ରାଜିନାମା ଦ୍ୱାରା ସାଇଟସେଭର୍ସ ସଂସ୍ଥା ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦୃଷ୍ଟିବିଧିତ ଓ ସ୍ୱଳ୍ପ ଦୃଷ୍ଟିବାଧିତ ଶିକ୍ଷାର୍ଥୀଙ୍କ ନିମନ୍ତେ ବୈଷୟିକ ପରାମର୍ଶ, ସ୍ୱଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ଆକଳନ, ସ୍ୱତନ୍ତ୍ର କୌଶଳ ପ୍ରସ୍ତୁତି, ବ୍ଲକ ସମ୍ବଳ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ପାଇଁ ତାଲିମ ସହାୟତା ଯୋଗାଇଦେବ। ଫଳରେ ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୨୫ ହଜାର ଦୃଷ୍ଟିବାଧିତ ଓ ସ୍ୱଳ୍ପବାଧିତ ଦୃଷ୍ଟି ଶିକ୍ଷାର୍ଥୀ ଉପକୃତ ହେବେ। ଏହି ସଂସ୍ଥା ଏଦିଗରେ ଆବଶ୍ୟକ ସୂଚନା ପ୍ରଯୁକ୍ତି ଯୋଗାଯୋଗ ମାଧ୍ୟମରେ ଶିକ୍ଷା, ବୈଷୟିକ ଉପକରଣ, ଡେଜି ପ୍ଲେୟାର, ଟାବଲେଟ ଓ ଶିକ୍ଷଣ ଉପକରଣ ଆଦି ପ୍ରଦର୍ଶନ କରାଇବେ। ଏହି ବୁଝାମଣାପତ୍ର୍ର ଓପେପା ପରିଚାଳିତ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାରେ ପ୍ରଥମ ବୋଲି କୁହାଯାଇଛି। ରାଜିନାମା ସ୍ୱାକ୍ଷର ସମୟରେ ଓପେପା ଅତିରିକ୍ତ ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସାଇଟସେଭର୍ସର ଆକବର ମେହଫୁଜ ଆଲାମ, ଜଗନ୍ନାଥ ନାୟକ ଓ ଏସ୍‌ଏସ୍‌ଇପିଡି ଅଧିକାରୀ ସନ୍ୟାସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର