କେରଳ ମଡେଲକୁ ରାଜ୍ୟ ସରକାର ଅନୁକରଣ କରନ୍ତୁ, ବାତ୍ୟା ବିଧ୍ବସ୍ତ ଓ ସମୁଦ୍ରକୂଳ ଅଧିବାସୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା ହେଉ

ଭୁବନେଶ୍ବର : ବାତ୍ୟା ପରେ ଚିଲିକାର ଜୈବ ବିବିଧତା ଓ ପରିବେଶକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶ ବିଜ୍ଞାନୀମାନଙ୍କ ସହ ପରାମର୍ଶ କରି ସ୍ବତନ୍ତ୍ର ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରନ୍ତୁ। କେରଳ ବନ୍ୟାରେ କ୍ଷତିଗ୍ରସ୍ତ ହେବା ପରେ ସ୍ଥାନୀୟ ସରକାର ‌କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ଯେଉଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ, ରାଜ୍ୟ ସରକାର ଏହାର ଅନୁକରଣ କରନ୍ତୁ ବୋଲି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି।

ମଂଗଳବାର ଦିନ ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମନ୍ତରା କହିଲେ, କେରଳ ସରକାର ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ବାସଗୃହ ନିର୍ମାଣ ସହ ଜାଲ ଓ ଡଙ୍ଗା ପାଇଁ ବିନା ସୁଧରେ ରିହାତି ସହ ୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଥିଲେ। ତେଣୁ ରାଜ୍ୟ ସରକାର ଏଭଳି ଢଙ୍ଗରେ ଚିଲିକା ଓ ସମୁଦ୍ରକୂଳ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ବ୍ୟବସ୍ଥା କରନ୍ତୁ। ଏହାସହ ଚିଲିକା ଭିତରେ ରସାୟନିକ ଚିଙ୍ଗୁଡ଼ି ଘେରି ଭାଙ୍ଗି ଚିଲିକାର ପ୍ରାକୃତିକ ସ୍ଥିତି ଫେରାଇ ଆଣିବାକୁ ଦୀର୍ଘମିଆଦି ବ୍ୟବସ୍ଥା କରାଯାଉ। କ୍ଷତିଗ୍ରସ୍ତ ଲୁଣା ଜଙ୍ଗଲ ପୁନରୁଦ୍ଧାର ସହ ନୂଆ ଲୁଣା ଜଙ୍ଗଲ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦିଆଯାଉ। ଚିଲିକା ଭିତରେ ଘର ନିର୍ମାଣ ପାଇଁ ସରକାର ଦେବାକୁ ଥିବା ପକ୍କା ଘର ନିର୍ମାଣ ଖର୍ଚ ବୃଦ୍ଧି କରାଯାଉ। ଏହାସହ ଲୁଣି ପାଣି ମାଡ଼ିଥିବା ଜମିର ପୁନରୁଦ୍ଧାର ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଉ।

ଚିନ୍ତାଜନକ ବିଷୟ ହେଉଛି, ବାତ୍ୟା ପ୍ରଭାବିତ ବହୁ ଆଶ୍ରୟସ୍ଥଳରେ ଜାତିଆଣ ଭେଦଭାବ ଦେଖିବାକୁ ମିଳୁଛି। ପୁରୀ ସଦର ବ୍ଲକ୍‌ର ଭୋଇସାହି, ବିରିପିଡ଼ିଆ ଗାଁ ସମେତ ଅନେକ ସ୍ଥାନରେ ଦଳିତମାନଙ୍କୁ ଆଶ୍ରୟସ୍ଥଳୀରୁ ବାହାର କରି ଦିଆଯାଇଛି। ଅଲଗା ହୋଇ ସେମାନେ ଗଛ ତଳେ ରହୁଛନ୍ତି। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଏଭଳି ଅମାନବିକତା ନିନ୍ଦନୀୟ। ତେଣୁ ପୁରୀ ଜିଲ୍ଲାପାଳ ତୁରନ୍ତ ଏହାର ପ୍ରତିକାର କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଶ୍ରୀ ସାମନ୍ତରା ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ସାଧାରଣ ସଂପାଦକ କଲ୍ୟାଣ ଆନନ୍ଦ ଓ ମାନସ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର