ହାଇକୋର୍ଟରୁ ଅଭିଜିତ ଆୟାରଙ୍କୁ ଜାମିନ, ସମସ୍ତ ମାମଲାରୁ ମୁକ୍ତ କଲା ଗୃହ ବିଭାଗ

କଟକ/ଭୁବନେଶ୍ବର : କୋଣାର୍କ ମନ୍ଦିର, ଓଡ଼ିଶା ଓ ଓଡ଼ିଆଙ୍କ ପ୍ରସ˚ଗରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇ ଜେଲ୍‌ରେ ଥିବା ଅଭିଜିତ ଆୟାର ମିତ୍ରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ଭୁବନେଶ୍ବର ଏସଡିଜିଏମ୍‌ ଅଦାଲତରେ ବିଚାରାଧୀନ ମାମଲା ସହିତ କୋଣାର୍କ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ଲୋଡି ସେ ହାଇକୋର୍ଟରେ ଆବେଦନ କରିଥିଲେ। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦୁଇଟି ପୃଥକ ଆବେଦନ ଦାୟର କରିଥିଲେ। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ତପୀଠ ତାଙ୍କ ଆବେଦନର ଶୁଣାଣି କରି ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ରଖି ଅଭିଜିତଙ୍କୁ ଜାମିନରେ ଛାଡିବେ ବୋଲି ଖଣ୍ତପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ଗତକାଲି ରାଜ୍ୟ ସରକାର ଅଭିଜିତ୍‌ଙ୍କୁ କ୍ଷମା ଘୋଷଣା କରିଥିବାବେଳେ ଆଜି ଏନେଇ ବିଧିବଦ୍ଧ ଭାବେ ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭିଜିତ୍‌ଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର କରାଯାଇଥିବା ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ତାଙ୍କ ବିରୋଧରେ କୌଣସି ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।

ପ୍ରକାଶଥାଉକି, କୋଣାର୍କ, ଓଡ଼ିଶା, ଓଡ଼ିଆଙ୍କ ବିରୋଧରେ ଦେଇଥିବା ଅପମାନସୂଚନ ମନ୍ତବ୍ୟ ଦେବା ନେଇ ଅଭିଜିତ୍‌ଙ୍କ ବିରୋଧରେ କୋଣାର୍କ ଓ ସହିଦନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେହିପରି ବିଧାୟକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ଗୃହ କମିଟି ପକ୍ଷରୁ ନୋଟିସ୍‌ କରାଯାଇଥିଲା। ଗତ ୧୬ ତାରିଖରେ ବିଧାନସଭା ଗୃହ କମିଟି ତାଙ୍କୁ କ୍ଷମା କରିଥିଲା। କିନ୍ତୁ ତାଙ୍କ ଉପରୁ ସମସ୍ତ ଫୌଜଦାରୀ ମାମଲା ପ୍ରତ୍ୟାହାର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାକୁ ବିଚାର କରି ମଙ୍ଗଳବାର ରାଜ୍ୟ ସରକାର ତାଙ୍କୁ କ୍ଷମା କରିଛନ୍ତି।

ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ସୁବ୍ରମଣ୍ୟମ୍‌

ଭୁବନେଶ୍ୱର : ଅଭିଜିତ୍‌ଙ୍କୁ ସରକାର କ୍ଷମା କରିବା ପରେ ସୋସିଆଲ ମିଡିଆରେ ବିଭିନ୍ନସ୍ତରରୁ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ବରିଷ୍ଠ ବିଜେପି ନେତା ଡ. ସୁବ୍ରମଣ୍ୟମ୍‌ ସ୍ୱାମୀ ଟ୍ୱିଟ୍‌ କରି ନବୀନଙ୍କୁ ପ୍ରଶଂସା କରିଛନ୍ତି। ଡ. ସ୍ୱାମୀ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି, ନବୀନଙ୍କର ହୃଦୟ ବିଶାଳ। ଅଭିଜିତଙ୍କ ପାଇଁ ଜେଲ୍ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇ ତାଙ୍କ ଜାମିନ୍ ଆବେଦନ ଅଗ୍ରାହ୍ୟ କରିବା ସତ୍ତ୍ୱେ ଓଡ଼ିଶା ସରକାର ତାଙ୍କ ବିରୋଧରେ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବିଶାଳ ହୃଦୟ ଓ ଓଡ଼ିଶା ବିଧାନସଭାର ବୁଦ୍ଧିମତାର ପରିଚୟ ଦେଉଛି ବୋଲି ଡ. ସ୍ୱାମୀ ଲେଖିଛନ୍ତି । ଚାରି ଅକ୍ଷରର ଫାଉଲ୍ ଶବ୍ଦ ସଂସ୍କୃତି ନୁହଁ, ଏକଥା ଅଭିଜିତ୍ ଶିଖିବା ଦରକାର ବୋଲି ମଧ୍ୟ ସେ ଏଥିରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର