ପ୍ରସନ୍ନ ଓ ମନୋଜଙ୍କ ନାଁରେ ହେବ ବିଦ୍ୟାଳୟ

୧୦ ଲକ୍ଷ ପରିବର୍ତ୍ତେ ୨୫ ଲକ୍ଷ ସହାୟତା

ଭୁବନେଶ୍ବର : ଜମ୍ମୁ ଓ କଶ୍ମୀର ପୁଲଵାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଜଣ ସିଆରପିଏଫ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ସ୍ମୃତିରେ ହେବ ବିଦ୍ୟାଳୟ। ସହିଦଙ୍କ ମରଶରୀରେ ଶ୍ରଦ୍ଧାସୁମନ ଅର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହାସହିତ ସହିଦଙ୍କ ପରିବାରକୁ କ୍ଷତିପୂରଣ ବାବଦ ଅନୁକମ୍ପା ରାଶି ବାବଦରେ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ଲକ୍ଷ ଟଙ୍କାରୁ ବଢ଼ାଇ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରାଯାଇଛି। ସହିଦଙ୍କ ପିଲାମାନଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସହିଦଙ୍କ ବଳିଦାନକୁ ସମ୍ମାନ ଜଣାଇ ସ୍ବର୍ଗତଃ ପ୍ରସନ୍ନ ସାହୁଙ୍କ ଜନ୍ମମାଟି ଜଗତସିଂପୁର ଜିଲ୍ଲା ନାଉଗାଁକୁ ଆଦର୍ଶ ପଞ୍ଚାୟତ କରିବା ସହ ସ୍ବର୍ଗତଃ ମନୋଜ ବେହେରାଙ୍କ କଟକ ଜିଲ୍ଲା ନିଆଳି ଗ୍ରାମକୁ ଆଦର୍ଶ ଗ୍ରାମ ପଞ୍ଚାୟତର ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ସହିଦ ଦ୍ବୟଙ୍କ ପାର୍ଥିବ ଶରୀର ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଥ-ଅବକାରୀ ଓ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ପ୍ରାୟ ସବୁ ରାଜନୈତିକ ଦଳର ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସହିଦ ପ୍ରସନ୍ନ ସାହୁଙ୍କ ପାର୍ଥିବ ଶରୀର ସହ ଜଗତସିଂପୁର ନାଉଗାଁ ଯାଇଥିବାବେଳେ ସ୍ବାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ସହିଦ ମନୋଜ ବେହେରାଙ୍କ ମରଶରୀର ଶୋଭାଯାତ୍ରାରେ ସାମିଲ ହୋଇ କଟକର ନିଆଳି ଅଭିମୁଖେ ଗସ୍ତ କରିବା ସହ ଉଭୟ ମନ୍ତ୍ରୀ ଦୁଇ ସହିଦଙ୍କ ଶେଷକୃତ୍ୟରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର