ରାଜଧାନୀରେ ହେବ ସହିଦ୍‌ ସ୍ମୃତି ସ୍ତମ୍ଭ : ୪୨ ଫୁଟର ସ୍ତମ୍ଭ ବୟାନ କରିବ ସହିଦଙ୍କ କୀର୍ତି

ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏଙ୍କ ଠାରୁ ଆରମ୍ଭ କରି ରେଣ୍ଡୋ ମାଝୀଙ୍କ ଯାଏ। ବାଜି ରାଉତ, ପିଣ୍ଡିକି ବାହୁ ବଳେନ୍ଦ୍ର, ଚକରା ବିଷୋୟୀଙ୍କ ଭଳି ଯେଉଁମାନେ ବିଟ୍ରିଶ ଶକ୍ତି ଆଗରେ ମୁଣ୍ଡ ନୁଆଁଇ ଜାତି ପାଇଁ ପ୍ରାଣବଳି ଦେଇଛନ୍ତି, ସେମାନଙ୍କୁ ମନେ ପକାଇବାକୁ ଯାଇ ଭୁବନେଶ୍ୱରରେ ଏକ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଉଛି। ସ୍ୱାଧୀନତା ସଂଗ୍ରାମୀ ପଡିଆରେ ୪୨ ଫୁଟ ଉଚ୍ଚର ଏହି ସ୍ମୃତି ସ୍ତମ୍ଭ ନିର୍ମାଣ କରାଯିବ। ଆସନ୍ତାକାଲି ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କଳସ ସ୍ଥାପନ କରି ଏହାର ଶୁଭ ଦେବେ।

ଉଲ୍ଲେଖଯୋଗ୍ୟ, ୧୮୦୭ ମସିହାରୁ ୧୯୪୨ ମସିହା ମଧ୍ୟରେ ରାଜ୍ୟର ପ୍ରାୟ ୨ଶହରୁ ଅଧିକ ସଂଗ୍ରାମୀ ସହିଦ୍‌ ହୋଇଛନ୍ତି। ଭାରତର ମୁକ୍ତି ସଂଗ୍ରାମରେ ଓଡ଼ିଶାର ଏହି ବୀର ସନ୍ତାନମାନଙ୍କ ସାହସ, ତ୍ୟାଗ ଓ ବଳିଦାନ ଅତୁଳନୀୟ ହୋଇ ରହିଛି। ହେଲେ ଏହି ସହିଦ୍‌ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କର କୀର୍ତିରାଜି ସୀମିତ ରହିଛି। ପ୍ରଥମଥର ପାଇଁ ଭୁବନେଶ୍ୱରରେ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ସହିଦ୍‌ ଜୟ ରାଜଗୁରୁଙ୍କ ଠାରୁ ଆରମ୍ଭ କରି ସହିଦ୍‌ ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ବୀର ସଂଗ୍ରାମୀଙ୍କର ବିଜୟ ଗାଥାକୁ ଭବିଷ୍ୟତ ବଂଶଧରଙ୍କ
ନିକଟରେ ପହଞ୍ଚାଇବା ଲାଗି ଏହି ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଉଛି। ଏଥିପାଇଁ ସହିଦ୍‌ମାନଙ୍କ ସ୍ମୃତିପୀଠ ବା ଜନ୍ମପୀଠ ଅର୍ଥାତ୍‌ ପୁରୀର ବୀରହରେକୃଷ୍ଣପୁର, କେନ୍ଦ୍ରାପଡାର କନିକା, ଖୋର୍ଧା, କାମାକ୍ଷାନଗର, ରାଜଗାଙ୍ଗପୁର, ବଣେଇ, ପାରଳାଖେମୁଣ୍ଡି, ମାଥିଲି, ଘୁମୁସର, ରଣପୁର, ସମ୍ବଲପୁର ଆଦି ୪୦ଟି ସ୍ଥାନରୁ ପବିତ୍ର ମାଟି କଳସ ସଂଗ୍ରହ କରାଯାଇଛି। ବିଭିନ୍ନ ଅଞ୍ଚଳରୁ ଏହାକୁ ଶୋଭାଯାତ୍ରାରେ ଅଣାଯାଇଥିଲା। ନିର୍ମାଣ ହେବାକୁ ଥିବା ଏହି ସ୍ମୃତିସ୍ତମ୍ଭରେ ଓଡ଼ିଶା ମାଟିର ବୀର ସହିଦ୍‌ମାନଙ୍କର କୀର୍ତି ଲିପିବଦ୍ଧ ରହିବ।

ଆସନ୍ତା ଜାନୁଆରୀ ୨ ତାରିଖରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କର ବିଶେଷ ଅଧିବେଶନ ଭୁବନେଶ୍ୱର ହେବ ଓ ସେହିଦିନ ଏହି ସ୍ମୃତିସ୍ତମ୍ଭ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର