ବନ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ

ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକ : ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ

ଭୁବନେଶ୍ୱର : ଓଡ଼ିଆ ଭାଷାର ଅଭିବୃଦ୍ଧି ପାଇଁ ଅଧିକ ଅଧ୍ୟୟନ ଓ ଗବେଷଣା ନିମନ୍ତେ ପୁରୀ ଜିଲ୍ଲାର ଖ୍ୟାତିସଂପନ୍ନ ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ଦିଗରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ବିଚାର କରାଯାଉଛି।

ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ଏହାର ସ୍ଥାନ ନିରୂପଣ। ୨୦୧୭ ନଭେମ୍ବର ମାସରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଗେଜେଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଐତିହ୍ୟ କ୍ୟାବିନେଟ୍‌ରେ ଏହାର ପ୍ରତିଷ୍ଠା ସହିତ ସ୍ଥାନ ନିର୍ଧାରଣ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଏହି ବିଶ୍ୱବିଦ୍ୟାଳୟର ନାମ କେବଳ ଓଡ଼ିଆ ବିଶ୍ୱବିଦ୍ୟାଳୟ ରହିବ। ଏହା ସହିତ କୌଣସି ଶବ୍ଦ ଯୋଡ଼ାଯିବ ନାହିଁ। ପୁରୀ ଜିଲ୍ଲାର ଐତିହାସିକ ସ୍ଥାନ ସତ୍ୟବାଦୀରେ ହିଁ ଏହା ପ୍ରତିଷ୍ଠା କରାଯିବ। ଓଡ଼ିଶାର ପ୍ରସିଦ୍ଧ ପଞ୍ଚସଖାଙ୍କ କର୍ମସ୍ଥଳୀ, ଖ୍ୟାତିସଂପନ୍ନ ବନ ବିଦ୍ୟାଳୟ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସାଧନାର ପୀଠ ଭାବେ ସତ୍ୟବାଦୀ ଇତିହାସର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଆପାତତଃ ଚିହ୍ନଟ ହୋଇଛି। ତେବେ ଆଗାମୀ ଦିନରେ କିଛି ପଦାଧିକାରୀ ଯାଇ ଜମି ନିରୂପଣ ପ୍ରକ୍ରିୟା ଚୂଡ଼ାନ୍ତ କରିବେ। ବିଶ୍ୱବିଦ୍ୟାଳୟ ପାଇଁ ପ୍ରାୟ ୨୫ ଏକର ଜମି ଦରକାର ବୋଲି ମୁଖ୍ୟ ସଚିବ କହିଥିଲେ।

ଓଡ଼ିଶା ଭାଷା ଶାସ୍ତ୍ରୀୟ ଭାଷା। ଏହାର ସାହିତ୍ୟ ସମୃଦ୍ଧ। ବିଭିନ୍ନ କ୍ଷେତ୍ର ଯଥା: ଚାରୁକଳା, ବୟନଶିଳ୍ପ, ତାରକସି କାର୍ଯ୍ୟ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ନୌବାଣିଜ୍ୟ, ମନ୍ଦିରର ସ୍ଥାପତ୍ୟ, ବୌଦ୍ଧ ଓ ଜୈନ କୀର୍ତିରାଜି ପ୍ରଭୃତି ସାରା ବିଶ୍ୱରେ ଜଣାଶୁଣା। ସେହିପରି ଜନଜାତିଙ୍କ କଳା, ସଂସ୍କୃତି, ନୃତ୍ୟ ଆଦିର ରକ୍ଷଣାବେକ୍ଷଣ ତଥା ପ୍ରଚାର ପ୍ରସାର ଆବଶ୍ୟକ। ଏଥିପାଇଁ ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ କରାଯିବ। ଐତିହ୍ୟ କ୍ୟାବିନେଟ୍‌ ଏହାକୁ ମଞ୍ଜୁରି ଦେଇଛନ୍ତି। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ଚିଠା ପ୍ରସ୍ତୁତ କରିବ। ଅବଶ୍ୟ, ଏଥିପାଇଁ ନିର୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇନାହିଁ ବୋଲି ଶ୍ରୀ ପାଢ଼ୀ କହିଥିଲେ।

ରାଜ୍ୟର ସମସ୍ତ ପାଠାଗାରର ସୁପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ସାର୍ବଜନୀନ ପାଠାଗାର ନିର୍ଦେଶକ ପଦବି ସୃଷ୍ଟି କରିବା ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ୨୦୦୧ରେ ଓଡ଼ିଆ ସାର୍ବଜନୀନ ପାଠାଗାର ଆଇନ ପ୍ରଣୟନ କରାଯାଇଥିଲା। ୨୦୧୬ରେ ଏହାର ନିୟମାବଳୀ ଅଣାଗଲା। ବର୍ତମାନ ସଂସ୍କୃତି ବିଭାଗ ନିର୍ଦେଶକଙ୍କ ଅଧୀନରେ ରାଜ୍ୟର ସମସ୍ତ ପାଠାଗାର ରହିଛି। କିଛି ପାଠାଗାର ସୂଚନା ଓ ଲୋକସଂପର୍କ ବିଭାଗ ଅଧୀନରେ ଥିବା ବେଳେ ଅନ୍ୟ କିଛି ପୌର ପରିଷଦ ଓ
ଅବଶିଷ୍ଟ ସଂସ୍କୃତି ବିଭାଗ ଅଧୀନରେ ପରିଚାଳିତ ହେଉଛି। ସଂସ୍କୃତି ନିର୍ଦେଶକଙ୍କ ପାଇଁ ଏହା ପରିଚାଳନା କଷ୍ଟକର ହେଉଥିବା ମୁଖ୍ୟ ସଚିବ କହିଥିଲେ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଭବନ ଆନନ୍ଦ ଭବନକୁ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରେ ପରିଣତ କରାଯାଇଛି। ଏହା ରାଜ୍ୟ ସଂଗ୍ରହାଳୟ ଅଧୀନରେ ପରିଚାଳିତ। ଏହାର ସୁପରିଚାଳନା ପାଇଁ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଟ୍ରଷ୍ଟରେ ପରିଣତ କରିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ଐତିହ୍ୟ କ୍ୟାବିନେଟ୍‌। ଏହି ଟ୍ରଷ୍ଟର ପରିଚାଳନା ପାଇଁ କର୍ପସ ପାଣ୍ଠି ଗଠନ କରାଯିବ। ତେବେ ଏହି ପାଣ୍ଠିରେ କେତେ ଅର୍ଥ ଜମା ହେବ ସେ ନେଇ ନିଷ୍ପତ୍ତି ନିଆଯାଇନଥିବା ମୁଖ୍ୟ ସଚିବ କହିଥିଲେ।

ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୨୬ ତାରିଖରେ ପୁରୀରେ ଅନୁଷ୍ଠିତ ଐତିହାସିକ କ୍ୟାବିନେଟ୍‌ଙ୍କ ନିଷ୍ପତ୍ତି ମୁତାବକ ଗଠିତ ହୋଇଛି ନୂଆ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି। କେବଳ ବିଭାଗ ଗଠନ ନୁହେଁ, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଐତିହ୍ୟ କ୍ୟାବିନେଟ୍‌ ମଧ୍ୟ ରୂପ ପାଇଛି।

ସମ୍ବନ୍ଧିତ ଖବର