ବଦଳିଲା ୪୩ ଅଫିସରଙ୍କ ଚୌକି

ଭୁବନେଶ୍ୱର : ସଂସ୍କୃତି ବିଭାଗର ସଚିବ ଅମରେନ୍ଦ୍ର କୁମାର ପଟ୍ଟନାୟକ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ହେବେ। ଡାଇରେକ୍ଟର ଅଫ୍‌ ଇଷ୍ଟେଟ୍‌ ଦେବେନ୍ଦ୍ର ମହାପାତ୍ରଙ୍କୁ ଅବକାରୀ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ନିକଟରେ ଆଇଏଏସ୍‌ ପାହ୍ୟାକୁ ପଦୋନ୍ନତି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ବିଜୟ କୁମାର ନାୟକ ଏଣିକି ଓପେପାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ଆଜି ରାଜ୍ୟ ସରକାର ଏଭଳି ନିର୍ଦେଶନାମା ଜାରି କରିଛନ୍ତି। ଏଥିସହିତ ଆଜି ଆଇଏଏସ୍‌ ଅଫିସର ଓ ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ (୪୩ଜଣଙ୍କର) ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।

ପଶୁପାଳନ ଓ ପଶୁଚିକିତ୍ସା ନିର୍ଦେଶକ ପ୍ରତାପ ଚନ୍ଦ୍ର ଦାସଙ୍କୁ ପଞ୍ଚାୟତିରାଜ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ହେମନ୍ତ କୁମାର ପାଢୀଙ୍କୁ ଡାଇରେକ୍ଟର ଇଷ୍ଟେଟ୍‌ ଭାବେ ଅବସ୍ଥାପିତ କରାଯାଇଛି। ଅବକାରୀ କମିସନର ପି କେ ସେନାପତି ମତ୍ସ୍ୟ ନିର୍ଦେଶକ, ଗୃହ ବିଭାଗର ଉପଶାସନ ସଚିବ ମନିଷ ଅଗ୍ରଓ୍ଵାଲ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଆଧୁନିକୀକରଣ କେନ୍ଦ୍ର ବା ସିଏମ୍‌ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରିବେ। କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସଚିବ ଶରତ ଚନ୍ଦ୍ର ନାୟକଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଥିବା ବେଳେ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଏସ୍‌ ଆର୍‌ ପ୍ରଧାନଙ୍କୁ ଶିଳ୍ପ ନିର୍ଦେଶକ, ଶିକ୍ଷା (ସେକେଣ୍ଡାରି) ନିର୍ଦେଶକ ରତ୍ନାକର ରାଉତଙ୍କୁ ଓଏସ୍‌ଆଇସିର ପରିଚାଳନା ନିର୍ଦେଶକ, ମତ୍ସ୍ୟ ନିର୍ଦେଶକ ବି କେ ଉପାଧ୍ୟାୟଙ୍କୁ ଜଳସଂପଦ ବିଭାଗର ଯୁଗ୍ମ ଶାସନ ସଚିବ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦେଶକ ଆଇଏଏସ୍‌ ଅଫିସର ମାନସୀ ନିମ୍ଭାଲଙ୍କୁ ଓଟିଇଏଲ୍‌ପିର ପ୍ରକଳ୍ପ ନିର୍ଦେଶକ, କୁଚିଣ୍ଡା ଉପଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ କ୍ରୀଡା ଓ ଯୁବ ସେବା ବିଭାଗର ଓଏସ୍‌ଡି, ଓପେପା ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ପଶୁୁପାଳନ ଓ ପଶୁଚିକିତ୍ସା ନିର୍ଦେଶକ ଭାବେ ବଦଳି କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ସଚିବ ଚିତ୍ରା ଅରୁମୁଗମ୍‌ଙ୍କୁ ଜଳସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ସେହିଭଳି ଉଦ୍ୟାନ କୃଷି ନିର୍ଦେଶକ ଏମ୍‌ ମୁଥୁକୁମାରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ରାମ୍‌ସା ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଜଳସଂପଦ ବିଭାଗରେ କାର୍ଯ୍ୟରତ ଉପସଚିବ ଭି ଜୟ କୁମାର ଏବେ ଅତିରିକ୍ତ ଭାବେ ଓଡ଼ିଶା ଉଠା ଜଳସେଚନ ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରିବେ।

ସେହିଭଳି ମାର୍କଫେଡ୍‌ ପରିଚାଳନା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତିଙ୍କୁ ସମବାୟ ବିଭାଗର ଅତିରିକ୍ତ ସଚିବ, ରାମ୍‌ସା ପ୍ରଶାସନିକ ଅଧିକାରୀ ଆରତୀ ରାଉତଙ୍କୁ ସେଠାରେ ଉପ ନିର୍ଦେଶକ, ବିଏମ୍‌ସି ଅତିରିକ୍ତ କମିସନର ଆଲୋକ କୁମାର କରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ କ୍ରୀଡ଼ା ଓ ଯୁବସେବା ବିଭାଗର ଉପସଚିବ ଭାବେ ନିଯୁକ୍ତି ପାଇଥିବା ଅବନୀକାନ୍ତ ପଟ୍ଟନାୟକ ଏବେ ଶ୍ରୀ କରଙ୍କ ସ୍ଥାନରେ ବିଏମ୍‌ସିରେ କାର୍ଯ୍ୟ କରିବେ। ଏମ୍‌ଡିଏମ୍‌ ନୋଡାଲ ଅଫିସର ଗଙ୍ଗାଧର ସାହୁଙ୍କୁ ଓଏସ୍‌ଆର୍‌ଟିସି ମହାପ୍ରବନ୍ଧକ ଓ ସେଠାରେ ଥିବା ସରୋଜ କୁମାର ପଟେଲଙ୍କୁ ଏମ୍‌ଡିଏମ୍‌ ନୋଡାଲ ଅଫିସର ଭାବେ ବଦଳି କରାଯାଇଛି।

ଖାଉଟି କଲ୍ୟାଣ ନିର୍ଦେଶକ ଅନନ୍ତ କୁମାର ଭୂୟାଁଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ, ଟେକ୍ସଟାଇଲ୍‌ ନିର୍ଦେଶକ ସୁଶାନ୍ତ ବାରିକଙ୍କୁ ମାନସୀ ନିମ୍ଭାଲଙ୍କ ସ୍ଥାନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦେଶକ ଭାବେ କାର୍ଯ୍ୟ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ବିଭୁ ପ୍ରସାଦ ଷ଼ଡଙ୍ଗୀଙ୍କୁ ଶିକ୍ଷା (ସେକେଣ୍ଡାରି) ନିର୍ଦେଶକ, ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଧନଞ୍ଜୟ ହେମ୍ବ୍ରମ୍‌ଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସଚିବ ଭାବେ ବଦଳି କରାଯାଇଛି। ବୟନିକା ଏମ୍‌ଡି ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ଟେକ୍ସଟାଇଲ୍‌ ନିର୍ଦେଶକ ଭାବେ ବଦଳି କରାଯାଇଛି। ସେ ବୟନିକା ଏମ୍‌ଡି ଭାବେ ମଧ୍ୟ କାର୍ଯ୍ୟ କରିବେ। ବିଜ୍ଞାନ ଓ କାରିଗରୀ କୌଶଳ ଅତିରିକ୍ତ ଶାସନ ସଚିବ ସିଦ୍ଧାର୍ଥ ଧଳଙ୍କୁ ପାଠ୍ୟପୁସ୍ତକ ବ୍ୟୁରୋ ନିର୍ଦେଶକ ଓ ସେଠାରେ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଶ୍ରୀ ଧଳଙ୍କ ସ୍ଥାନକୁ ବଦଳି କରାଯାଇଛି।

ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କ ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ମିଶ୍ର ଏମ୍‌କେସିଜି ମେଡିକାଲ କଲେଜ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ପୂର୍ତ ବିଭାଗର ଅତିରିକ୍ତ ଶାସନ ସଚିବ ବ୍ରତତୀ ହରିଚନ୍ଦନଙ୍କୁ ସଂସ୍କୃତି ନିର୍ଦେଶକ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପ ସଚିବ ସୁଧାଂଶୁ ଶେଖର ନାୟକଙ୍କୁ ମିସନ ଶକ୍ତି ଉପନିର୍ଦେଶକ, ଯାଜପୁର ଅତିରିକ୍ତ ପିଡି ଇନ୍ଦ୍ରମଣୀ ନାୟକଙ୍କୁ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବେ ବଦଳି କରାଯାଇଛି। କନ୍ଧମାଳ ଅତିରିକ୍ତ ପିଡି ଗୋରାଚାନ୍ଦ ଗମାଙ୍ଗଙ୍କୁ ଗୁଣୁପୁର ଆଇଟିଡିଏ ପିଏ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଜାତୀୟ ଉଦ୍ୟାନ କୃଷି ମିସନ ଅତିରିକ୍ତ ନିର୍ଦେଶକ ସରୋଜ କୁମାର ସାମଲଙ୍କୁ ପୂର୍ତ ବିଭାଗର ଯୁୁଗ୍ମ ସଚିବ, ଅବକାରୀ ଉପକମିସନର ମୃଣାଳ କାନ୍ତି ଦାସଙ୍କୁ ଜାତୀୟ ଉଦ୍ୟାନ କୃଷି ମିସନର ଅତିରିକ୍ତ ନିର୍ଦେଶକ ଭାବେ ବଦଳି ହୋଇଛି।

ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର, ଏହି ପଦବିରେ ଥିବା ସଂଗ୍ରାମ କୁମାର ରାୟସର୍ଦାରଙ୍କୁ ଶ୍ରୀ ଷଡଙ୍ଗୀଙ୍କ ସ୍ଥାନକୁ ବଦଳି ହୋଇଛି। ଇସ୍ପାତ ଓ ଖଣି ବିଭାଗର ଉପ ସଚିବ ମଞ୍ଜୁଲତା ସ୍ୱାଇଁ ମିସନ ଶକ୍ତି ଉପ ନିର୍ଦେଶକ, ଇଷ୍ଟେଟ୍‌ ଅତିରିକ୍ତ ନିର୍ଦେଶକ ଗଣେଶ୍ୱର ଜେନା ଇସ୍ପାତ ଓ ଖଣି ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବେ। ଇଡ୍‌କୋ ମୁଖ୍ୟ ମହାପ୍ରବନ୍ଧକ ସୁଶାନ୍ତ କୁମାର ଦାଶଙ୍କୁ ଶ୍ରୀ ଜେନାଙ୍କ ସ୍ଥାନରେ ଇଷ୍ଟେଟ୍‌ ଅତିରିକ୍ତ ନିର୍ଦେଶକ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଯୁଗ୍ମ ସଚିବ ଚିତ୍ତରଂଜନ ପାତ୍ରଙ୍କର ଇଡ୍‌କୋ ମୁଖ୍ୟ ମହାପ୍ରବନ୍ଧକ ଭାବେ ବଦଳି ହୋଇଛି।

ସମ୍ବନ୍ଧିତ ଖବର