ସୋସିଆଲ୍‌ ମିଡିଆରେ ସରକାରୀ ବିଭାଗ ନିଷ୍କ୍ରିୟ : ୱେବ୍‌ସାଇଟ୍‌ ବାଉଳା

ଦାମ ଏବେ ବି ସମବାୟ ମନ୍ତ୍ରୀ, ସଚିବ ତିନି ଜଣ, ମହିଳା କମିସନ୍‌ ଅଧ୍ୟକ୍ଷା: ଅନୁ, ଲୋପାମୁଦ୍ରା, ମିନତି, ‘୫ ଟି’ରୁ ଟେକ୍ନୋଲୋଜିକୁ ଭୁଲି ଯାଉଛନ୍ତି ଅଧିକାରୀ

ଭୁବନେଶ୍ବର (ଚୌଧୁରୀ ଅମିତାଭ ଦାସ): ରାଜ୍ୟର ସମବାୟ ମନ୍ତ୍ରୀ ହେଲେ ଦାମୋଦର ରାଉତ। ଏହି ବିଭାଗର ତିନି ଜଣ ସଚିବ ଅଛନ୍ତି, ମନୋଜ ଆହୁଜା, କ୍ରିଷନ୍ କୁମାର ଓ ବୀର ବିକ୍ରମ ଯାଦବ। ରାଜ୍ୟରେ ମହିଳା କମିସନ୍‌ ଅଧ୍ୟକ୍ଷା ଦୁଇ ଜଣ, ଅନୁ ଗର୍ଗ ଓ ଲୋପାମୁଦ୍ରା ବକ୍ସିପାତ୍ର। ନଗର ଉନ୍ନୟନ ବିଭାଗ ଏବେ ବି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦାୟିତ୍ବରେ ଅଛି। ପୁଣି ଗୁରୁ ଗଙ୍ଗାଧର ପ୍ରଧାନ ଓ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଜୀବିତ ରହି ଓଡ଼ିଶୀ ଗବେଷଣା କେନ୍ଦ୍ର ପରିଚାଳନା କମିଟିର ସଦସ୍ୟ ଅଛନ୍ତି। ଖାଦ୍ୟ କମିସନ୍ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ନିଜ ପଦବିରେ କାର୍ଯ୍ୟରତ ଅଛନ୍ତି।

ଏସବୁ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ। ଏ ତଥ୍ୟ ଆମେ ଦେଉ ନାହୁଁ। ଓଡ଼ିଶା ସରକାରଙ୍କ ଅଫିସିଆଲ୍‌ ପୋର୍ଟାଲ୍‌ର ବିଭିନ୍ନ ବିଭାଗରେ ଏସବୁ ପ୍ରଦର୍ଶିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ରୁ ଗୋଟିଏ ହେଲା ‌‘ଟେକ୍ନୋ‌େଲାଜି’। ଟେ‌େକ୍ନାଲୋଜିକୁ ବିଭାଗଗୁଡ଼ିକ କେତେ ଦକ୍ଷତାର ସହ ବ୍ୟବହାର କରୁଛନ୍ତି, ତାହା ସରକାରୀ ୱେବ୍‌ସାଇଟ୍‌ ପ୍ରମାଣିତ କରିଦେଉଛି। ସାଧାରଣ ଲୋକ ଏହି ୱେବ୍‌ସାଇଟ୍‌ ଦେଖିଲେ ମୁଣ୍ଡ ବିଗିଡ଼ିଯିବା ନିଶ୍ଚିତ। ଗୋଟିଏ ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟ ଓ ଅଧୀନସ୍ଥ ସଂସ୍ଥାର ପୋର୍ଟାଲ୍‌ରେ ଦିଆଯାଇଥିବା ତଥ୍ୟରେ ଆଦୌ ତାଳମେଳ ରହୁ ନାହିଁ।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ୱେବ୍‌ସାଇଟ୍‌ରେ ‘ହୁଜ୍‌ ହୁ’ କ୍ଲିକ୍‌ କଲେ ସମବାୟ ବିଭାଗର ସଚିବଙ୍କ ନାମ ଲେଖାଯାଇଛି ଡାକ୍ତର କ୍ରିଷନ୍ କୁମାର। କିନ୍ତୁ ଫଟୋ ଦିଆଯାଇଛି ପ୍ରକୃତ ସଚିବ ବୀର ବିକ୍ରମ ଯାଦବଙ୍କର।

ସମବାୟ ବିଭାଗ ଅଧୀନରେ ଥିବା ଓଡ଼ିଶା ସମବାୟ ଗୃହ ନିଗମର ୱେବ୍‌ସାଇଟ୍‌ରେ ସର୍ବାଧିକ ବିଚିତ୍ର ସ୍ଥିତି। ଏହି ପୋର୍ଟାଲ୍‌ର ହୋମ୍ ପେଜ୍‌ରେ ଲେଖାଯାଇଛି ସମବାୟ ମନ୍ତ୍ରୀ ଦାମୋଦର ରାଉତ। ବିଭାଗୀୟ ପ୍ରମୁଖ ସଚିବ ମନୋଜ ଆହୁଜା ଓ ସମବାୟ ନିବନ୍ଧକ ଡି କେ ପଟ୍ଟନାୟକ। ଶ୍ରୀ ରାଉତ କେବେଠାରୁ ମନ୍ତ୍ରୀ ପଦରୁ ଯାଇ ବିଜେଡିରୁ ବି ବିଦା ହୋଇ ସାରିଲେଣି। ଶ୍ରୀ ଆହୁଜା କେନ୍ଦ୍ରୀୟ ଡେପୁଟେସନ୍‌ରେ। ଶ୍ରୀ ପଟ୍ଟନାୟକ ସରକାରୀ ଚାକିରିରୁ ଅବସର ନେଇସାରଲେଣି।

ରାଜ୍ୟ ମହିଳା କମିସନ୍‌ ଅଧ୍ୟକ୍ଷା ଭାବେ ଏଇ ସପ୍ତାହରେ ଦାୟିତ୍ବ ନେଇଛି ମିନତି ବେହେରା। କିନ୍ତୁ କମିସନ୍‌ଙ୍କ ୱେବ୍‌ସାଇଟ୍‌ ଖୋଲିଲା ମାତ୍ରେ ହୋମ୍ ପେଜ୍‌ରେ ଅଧ୍ୟକ୍ଷା ଭାବେ ଅନୁ ଗର୍ଗଙ୍କ ନାମ ଓ ଫଟୋ ରହିଛି। ଅଧ୍ୟକ୍ଷାଙ୍କ ପରିଚୟ ପାଇଁ ଥିବା ବିଭାଗରେ ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ପରିଚୟ ଲେଖାଯାଇଛି। କମିସନ୍‌ଙ୍କ ୱେବ୍‌ସାଇଟ୍‌ରେ କେଉଁଠି ବି ଅଧ୍ୟକ୍ଷା ଭାବେ ମିନତି ବେହେରାଙ୍କ ନାମ ନାହିଁ।

ସମାନ ସ୍ଥିତି ସମାଜ ମଙ୍ଗଳ ବୋର୍ଡରେ। ଏହାର ଅଧ୍ୟକ୍ଷା ଥିବା ଲତିକା ପ୍ରଧାନ ତିନି ମାସ ହେଲାଣି ବିଧାୟିକା ଭାବେ ନିର୍ବାଚିତ ହୋଇସାରିଲେଣି। ସେ ଆଉ ଅଧ୍ୟକ୍ଷା ନାହାନ୍ତି। କିନ୍ତୁ ବୋର୍ଡର ହୋମ୍ ପେଜ୍‌ରେ ଏବେ ବି ଅଧ୍ୟକ୍ଷା ଭାବେ ଲତିକାଙ୍କ ଫଟୋ ଓ ବାର୍ତ୍ତା ରହିଛି। ସେହିପରି ଖାଦ୍ୟ କମିସନ୍‌ର ତତ୍‌କାଳୀନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ାଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି। କିନ୍ତୁ ତାଙ୍କ ନାମ କମିସନ୍‌ଙ୍କ ୱେବ୍‌ସାଇଟ୍‌ରେ ରହିଛି।

ଏମିତି ବେପରୱା କାମରେ ନଗର ଉନ୍ନୟନ ବିଭାଗ ବି ଯୋଡ଼ି ହୋଇଯାଇଛି। ବିଭାଗର ଟେଲିଫୋନ୍ ନମ୍ବର କ୍ଲିକ୍ କଲେ ମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀଙ୍କ ନାମ ଓ ନମ୍ବର ରହିଛି। ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଭାବେ ସଞ୍ଜୀବ ଚୋପ୍ରା ଦାୟିତ୍ବ ନେଇସାରିଲେଣି। କିନ୍ତୁ ବିଭାଗର ୱେବ୍‌ଓସାଇଟ୍‌ରେ ଏଲ୍‌ ଏନ୍ ଗୁପ୍ତାଙ୍କ ନାମ ରହିଛି। ରାଜ୍ୟ ସଂଗ୍ରହାଳୟର ୱେବ୍‌ସାଇଟ୍‌ରେ ସଂସ୍କୃତି ନିର୍ଦ୍ଦେଶକ ଭାବେ ରଣଜିତ ମହାନ୍ତିଙ୍କ ନାମ ଲେଖାଯାଇଛି। ଯଦିଓ ଦୀର୍ଘ ଦିନ ହେଲାଣି ବିଜୟ ନାୟକ ଦାୟିତ୍ବ ନେଇସାରିଲେଣି। ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ଆର୍ ରଘୁ ପ୍ରସାଦ ଦାୟିତ୍ବ ଗ୍ରହଣ କରିସାରିଥିଲେ ବି ଫିସ୍‌ଫେଡ୍‌ ୱେବ୍‌ସାଇଟ୍‌ର ହୋମ୍ ପେଜ୍‌ରେ ପୂର୍ବତନ ସଚିବ ବିଶାଲ ଗଗନଙ୍କ ନାମ ଓ ଫଟୋ ରହିଛି। ଓଡ଼ିଶା କୃଷି ଶିଳ୍ପ ନିଗମର ୱେବ୍‌ସାଇଟ୍‌ରେ ‘ନିର୍ଦ୍ଦେଶକ ମଣ୍ଡଳୀ’ର ସଦସ୍ୟ ଭାବେ ‌ଶକ୍ତି ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଆର୍‌ ରଘୁପ୍ରସାଦ ପ୍ରମୁଖଙ୍କ ନାମ ଲେଖାଯାଇଛି। ଏହା ମଧ୍ୟରେ ସେମାନେ ଅନ୍ୟ ବିଭାଗକୁ ବଦଳି ହୋଇସାରିଲେଣି।

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବ୍‌ସାଇଟ୍‌ରେ ଆହୁରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଏହାର ପରିଚାଳନା କମିଟିର ସଦସ୍ୟ ଭାବେ ଗୁରୁ ଗଙ୍ଗାଧର ପ୍ରଧାନ ଓ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ନାମ ଏବେ ବି ରହିଛି। ଶ୍ରୀ ପ୍ରଧାନଙ୍କର ୯ ବର୍ଷ ତଳୁ ଓ ଶ୍ରୀ ପାଣିଗ୍ରାହୀଙ୍କର ୬ ବର୍ଷ ତଳୁ ପରଲୋକ ହୋଇଗଲାଣି।

ସରକାରୀ ସଂସ୍ଥାଗୁଡ଼ିକ କେବଳ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ତାହା ନୁହେଁ। ବିଭିନ୍ନ ଦୃଷ୍ଟିକୋଣରୁ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସମୟୋପଯୋଗୀ ପଦ‌କ୍ଷେପ ବି ନେଉ ନାହାନ୍ତି। ଫେସ୍‌ବୁକ୍, ଟ୍ବିଟର୍‌ ପରି ସୋସିଆଲ୍‌ ମିଡିଆକୁ ବ୍ୟାପକ ବ୍ୟବହାର କରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କିଛି ହାତଗଣତି ବିଭାଗକୁ ବାଦ୍ ଦେଲେ ଅନ୍ୟମାନେ ମାସ ମାସ ଧରି କିଛି ଟ୍ବିଟ୍‌ କରୁ ନ ଥିବା ଦେଖାଯାଉଛି।

ଶାସନ କଳରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାର ଗୁରୁତ୍ବାରୋପ କରୁଛନ୍ତି। ୱେବ୍‌ସାଇଟ୍‌ରେ ସବୁ ବିଭାଗର ତଥ୍ୟ ଇଂରାଜୀ ସହ ଓଡ଼ିଆ ଭା‌ଷାରେ ଦେବାକୁ କୁହାଯାଇଛି। କିନ୍ତୁ ଅଧିକାଂଶ ବିଭାଗ ଏହାକୁ ମାନୁ ନାହାନ୍ତି। ଓଡ଼ିଆ ଭାଷାରେ ତଥ୍ୟ ଦେବାକୁ ବିଭାଗଗୁଡ଼ିକୁ କାହିଁକି କଷ୍ଟ ହେଉଛି, ତାହା ବୁଝାପଡ଼ୁନି।

ସମ୍ବନ୍ଧିତ ଖବର