ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି : ଉପକୂଳ ଜିଲ୍ଲାର ପ୍ରତିନିଧିଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ୱର : ବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ସମୁଦ୍ର ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଉପକୂଳବର୍ତୀ ୬ଟି ଜିଲ୍ଲାର ୨୨ ବ୍ଲକରେ ବିପର୍ଯ୍ୟୟ ପ୍ରାକ୍‌ ସୂଚନା ପ୍ରଦାନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପ ଅଧୀନରେ ରାଜ୍ୟ, ସମ୍ପୃକ୍ତ ଜିଲ୍ଲା, ବ୍ଲକ, ଜିଲ୍ଲାରେ ଥିବା ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଉପକୂଳବର୍ତୀ ବିପଦସଙ୍କୁଳ ଜନବସତିରେ ୧୬୨ଟି ସୂଚନା କେନ୍ଦ୍ରରେ ଆବଶ୍ୟକ ବୈଷୟିକ ଯନ୍ତ୍ରପାତି ସ୍ଥାପନ ହୋଇଛି। ଏହି ଯନ୍ତ୍ରପାତିଗୁଡ଼ିକର ବ୍ୟବହାର, ସୁପରିଚାଳନା ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିସନର ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ପକ୍ଷରୁ ଆଜି ସମ୍ପୃକ୍ତ ଅଂଶୀଦାରଙ୍କ ପାଇଁ ଏକ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି।ସ୍ୱତନ୍ତ୍ର ରିଲିଫ୍‌ କମିସନର ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ପରିଚାଳନା ନିର୍ଦେଶକ ବିଷ୍ଣୁପଦ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଲାରସନ୍‌ ଆଣ୍ଡ୍‌ ଟ୍ୟୁବ୍ରୋ ସଂସ୍ଥାର ପରିଚାଳକ ଓ ଅଧିକାରୀମାନେ ବୈଷୟିକ ଯନ୍ତ୍ରପାତିଗୁଡ଼ିକର ବ୍ୟବହାର ସମ୍ପର୍କରେ ଆବଶ୍ୟକୀୟ ସୂଚନା ଦେଇଥିଲେ। କର୍ମଶାଳାରେ ୬ଟି ଯାକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ୨୨ଟି ବ୍ଲକର ବିଡିଓ, ତହସିଲଦାର, ଥାନା ଅଧିକାରୀ, ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ସମିତିର ସଭାପତି ତଥା ସରପଞ୍ଚ ଓ ସମ୍ପାଦକ, ବିଦ୍ୟାଳୟର ଶିକ୍ଷକ, ମତ୍ସ୍ୟ ଅବତରଣ କେନ୍ଦ୍ରର କର୍ମଚାରୀ/ପ୍ରତିନିଧି ଏବଂ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଥିବା ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ୨୫୦ ଜଣ ପ୍ରତିନିଧି ଯୋଗଦେଇଥିଲେ। ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବା ଅଞ୍ଚଳର ଲୋକଙ୍କ ନିମନ୍ତେ ଆବଶ୍ୟକ ସଚେତନତା ଓ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ପାଇଁ କର୍ମଶାଳାରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର