ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ବିଧାନସଭା ଘେରାଉ କରିବେ ସବୁଜ ପତ୍ରିକାଧାରୀ। ଅଣସରକାରୀ କର୍ମଚାରୀ ସବୁଜ ପ୍ରତିକାଧାରୀଙ୍କୁ ମାସିକ ୭୫୦ ଟଙ୍କା ଭତ୍ତା ଓ ସହରାଞ୍ଚଳରେ ଅତି କମ୍ରେ ୮ ଡିସିମିଲ ଘରଡ଼ିହ ଓ ଅନ୍ୟାନ୍ୟ ଦାବି ନେଇ ସବୁଜ ପତ୍ରିକାଧାରୀ ଏହି ବିକ୍ଷୋଭରେ ସାମିଲ ହେବେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ନେହରୁ ଯୁବ ପ୍ରତିଷ୍ଠାନରେ ଦୁଇ ସଂଘ (ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ଓ ରାଜ୍ୟ ସବୁଜ ପତ୍ରିକା ଉନ୍ନୟନ ପରିଷଦ) ପକ୍ଷରୁ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ସାଧାରଣ ସଂପାଦକ ଦେବରାଜ ନାଏକ କହିଲେ, ସବୁଜ ପତ୍ରିକାଧାରୀ ସରକାରୀ କର୍ମଚାରୀ ହୋଇଥିଲେ ପ୍ରତି ମାସରେ ଅଧିକ ଦୁଇଟି ଇନକ୍ରିମେଣ୍ଟ ସ୍ୱରୂପ କିଛି ଆର୍ଥିକ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଅଣ ସରକାରୀ କର୍ମଚାରୀଙ୍କ ପାଇଁ ଏଭଳି କୌଣସି ବ୍ୟବସ୍ଥା ନାହିଁ। ଏହାସହ ସହରାଞ୍ଚଳରେ ଘରଡ଼ିହହୀନ ସବୁଜ ପତ୍ରିକାଧାରୀ ପରିବାରକୁ ସହରରେ ସର୍ବନିମ୍ନ ୮ ଡିସିମିଲ ଘରଡ଼ିହ ଯୋଗାଇବା ପାଇଁ ୨୦୦୦ ମସିହାରୁ ଦାବି ହୋଇ ଆସୁଛି। ସେମାନଙ୍କ ପରିବାରକୁ ୧ହଜାର ଟଙ୍କାର ପ୍ରୋତ୍ସାହନ ଦେବା ପାଇଁ ୨୦୧୦ ମସିହାରୁ ଦାବି ହେଉଛି। ମାତ୍ର ରାଜ୍ୟ ସରକାର ଏଥିପାଇଁ ଧ୍ୟାନ ଦେଉ ନ ଥିବା ଶ୍ରୀ ନାୟକ କହିଛନ୍ତି।
ମହିଳା ମହାସଂଘର ସଂପାଦିକା ରଶ୍ମିତା ପ୍ରଧାନ କହିଲେ, ସରକାର ବାରମ୍ବାର ସବୁଜ ପ୍ରତିକାଧାରୀଙ୍କ ଦାବିକୁ ଅଣଦେଖା କରି ଚାଲିଥିବାରୁ ବାଧ୍ୟ ହୋଇ ସବୁଜ ପ୍ରତିକାଧାରୀ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ନେଇଛନ୍ତି। ଧାରଣାସ୍ଥଳରୁ ୭ଜଣିଆ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘ ସଭାନେତ୍ରୀ ବାସନ୍ତୀ କାଠ, ରମା ସାହୁ, ଲିଲି ଖଣ୍ଡୁଆଳ, ଅନିତା ମହାପାତ୍ର, ରମା ସାହୁ, ବିଦ୍ୟୁତ ପ୍ରଭା ଷଡ଼ଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।