ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ହାଇକୋର୍ଟରେ ୧ ଲକ୍ଷ ୭୦ ହଜାର ୩୫୧ ମାମଲା ବିଚାରାଧୀନ

କଟକ : ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବିରେ ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଦିନ ପ୍ରାୟ ୧ଟା ୨୦ରେ ଆସୋସିଏସନ୍‌ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠରେ ଏ ନେଇ ସଦସ୍ୟମାନେ ଆଲୋଚନା କରିଥିଲେ। ଗତ ସପ୍ତାହରେ ହାଇାକୋର୍ଟର ବରିଷ୍ଠ ବିଚାରପତିଙ୍କ ସହିତ ବାର୍‌ ଆସୋସିଏସନର ଏକ ପ୍ରତିନିଧି ମଣ୍ଡଳୀ କରିଥିବା ଆଲୋଚନା ସଂପର୍କରେ ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।

ଏହା ପରେ ସର୍ବସମ୍ମତିକ୍ରମେ ୨୦୧୮, ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାର୍ଚ୍ଚ ୫ ତାରିଖ ଦିନ ୧ଟା ବେଳେ ସାଧାରଣ ପରିଷଦର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ କୁମାର ନାୟକ, ସହସଂପାଦକ ପ୍ରଦୀପ୍ତ କୁମାର ମହାନ୍ତି, ପାଠାଗାର ସହସଂପାଦକ ସୁରେଶ କୁମାର ଜେନା, କାର୍ଯ୍ୟନିର୍ବାହୀ ସଦସ୍ୟ ଅଧିରାଜ ମହାନ୍ତି, ସରୋଜକାନ୍ତ ମଣ୍ଡଳ, ପୃଥିବୀ ରାଜ, ବୀଣାପାଣି ତ୍ରିପାଠୀ, ଶିଶିର ଚନ୍ଦ୍ର ଦାଶ, ସୁଲୋଚନା ପାତ୍ରଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

ଓଡିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କ ସମେତ ୧୬ ଜଣ ବିଚାରପତି ରହିଛନ୍ତି। ହାଇକୋର୍ଟ ୱେବ୍‌ସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୮, ଫେବ୍ରଆରି ୨୪ ତାରିଖ ସୁଦ୍ଧା ଓଡିଶା ହାଇକୋର୍ଟରେ ୧ ଲକ୍ଷ ୭୦ ହଜାର ୩୫୧ଟି ମାମଲା ବିଚାରାଧୀନ ରହିଛି। ୨୦୧୫ରେ ଶେଷ ଥର ଲାଗି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହା ପରେ ଆଉ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ନାହିଁ। ଅନ୍ୟପକ୍ଷରେ କେତେ ଜଣ ବିଚାରପତି ଇତି ମଧ୍ୟରେ ଅବସର ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଜୁନ୍‌ ଓ ଜୁଲାଇ ମାସରେ ଦୁଇ ଜଣ ବିଚାରପତି ଅବସର ଗ୍ରହଣ କରିବେ। ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ କମ୍‌ ବିଚାରପତି ରହିଥିବା ଯୋଗୁ ମାମଲା ଗୁଡିକର ଶୁଣାଣି ହୋଇ ପାରୁ ନାହିଁ। ଅନ୍ୟପକ୍ଷରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଗତ ୧୫ ଦିନ ହେବ ଅଚଳାବସ୍ଥା ଦେଖା ଦେଇଛି। ହାଇକୋର୍ଟ ସମେତ କଟକର ସମସ୍ତ ନିମ୍ନ ଅଦାଲତ, କ୍ୟାଟ୍‌, ସ୍ୟାଟ୍‌, ଖାଉଟି କମିସନରେ ଅଚଳାବସ୍ଥା ଲାଗି ରହିଛି।

ସମ୍ବନ୍ଧିତ ଖବର