ଆଇନଜୀବୀଙ୍କୁ ଆକ୍ରମଣ ଘଟଣା : ସମୟସୀମା ମଧ୍ୟରେ ତଦନ୍ତ ଶେଷ କରି ନ ପାରିବାରୁ କ୍ରାଇମବ୍ରାଞ୍ଚ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ, ସୋମବାର ପରବର୍ତ୍ତୀ ଶୁଣାଣି

0 872

କଟକ: କଟକରେ ଓକିଲଙ୍କ ଉପରେ ପୁଲିସ୍‌ର ଆକ୍ରମଣ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ବିଚାର ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଏଥିରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରି ନଭେମ୍ବର ୯ ତାରିଖ ସୁଦ୍ଧା ରିପୋର୍ଟ ଦେବା ଲାଗି ଓଡ଼ିଶା କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କାର୍ଯ୍ୟରତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ତଦନ୍ତ ଲାଗି ନିର୍ଦ୍ଦେଶ ଜାରି କରିଥିଲେ।

ମାତ୍ର କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଘଟଣାର ତଦନ୍ତ ଶେଷ କରି ନ ପାରିବା ହେତୁ ନଭେମ୍ବର ୯ରେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍‌ ହାଇକୋର୍ଟଙ୍କ ନିକଟରେ ଉପସ୍ଥାପିତ କରିପାରି ନଥିଲେ। ଆଇଜିଙ୍କ ପକ୍ଷରୁ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍‌ ଲାଗି ୬ ସପ୍ତାହ ସମୟ ମଗାଯାଇଥିଲା। ଏହାକୁ ହାଇକୋର୍ଟ ନାକଚ କରି ଦେବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ଶେଷ କରାଯିବା ଲାଗି କୁହାଯାଇଥିଲେ ମଧ୍ୟ କାହିଁକି ହୋଇପାରିଲା ନାହିଁ ତାହା ଜାଣିବାକୁ ଚାହିଁଥିଲେ।

ଶୁକ୍ରବାର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌ ଜାଭେରି ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ତଦନ୍ତ ଲାଗି ଅଧିକ ସମୟ ଦେବାକୁ ମନା କରିବା ସହ ଆସନ୍ତା ସୋମବାର ପରବର୍ତ୍ତୀ ଶୁଣାଣି ଲାଗି କ୍ରାଇମ୍‌ବ୍ରାଞ୍ଚ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲା ହାଇକୋର୍ଟଙ୍କ ବିଚାରଧୀନ ଥିବାବେଳେ କିଭଳି ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲା ତାହା ପ୍ରଶ୍ନ କରି ଅସନ୍ତୋଷ ଜାହିର କରିଥିଲେ।

ତେଣେ ଆଇନ୍‌ଜୀବୀ ସଂଘର ସାଧାରଣ ପରିଷଦ ବୈଠକ ବସିଛି। ସେଠାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅନ୍ୟପକ୍ଷରେ ପୁଲିସ୍‌ ଡିଜି ଡା. ରାଜେନ୍ଦ୍ର ପ୍ରର୍ସାଦ ଶର୍ମା କହିଛନ୍ତି କି ଉଭୟ ପୁଲିସ୍‌ ସଂଘ ଓ ଆଇନଜୀବୀ ସଂଘର ସମ୍ମାନ କରାଯାଇ କିପରି ବିବାଦର ଆପୋଷ ସମାଧାନ ହୋଇପାରିବ ସେ ଦିଗରେ ଉଦ୍ୟମ ହେବା ଦରକାର।

ସମ୍ବନ୍ଧିତ ଖବର

Leave A Reply

Your email address will not be published.