ହାଇକୋର୍ଟରୁ ମିଳିଲା ଜାମିନ : ଜେଲ୍‌ରୁ ମୁକୁଳିବ ସାରଥି, ସାକ୍ଷ୍ୟ-ପ୍ରମାଣ ପ୍ରଭାବିତ ନ କରିବାକୁ କଡ଼ା ନିର୍ଦ୍ଦେଶ

କଟକ : ବହୁଚର୍ଚ୍ଚିତ ବାବା ସାରଥି ଓରଫ ସନ୍ତୋଷ କୁମାର ରାଉଳ ଜେଲ୍‌ରୁ ମୁକୁଳିବ। କେନ୍ଦ୍ରାପଡା ଏସ୍‌ଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ଆଜି ସାରଥିକୁ ହାଇକୋର୍ଟ ସର୍ତ୍ତମୂଳଜ ଜାମିନ ପ୍ରଦାନ କରିଛନ୍ତି।

୨୦୧୫, ଅଗଷ୍ଟ ୮ରେ ସାରଥିଙ୍କୁ କ୍ରାଇମବ୍ରାଞ୍ଚ୍‌ ଗିରଫ୍‌ କରିବା ପରେ କେନ୍ଦ୍ରାପଡାର ଜଣେ ଯୁବତୀ ଓ ତାଙ୍କ ମା’ ତାଙ୍କ ବିରୋଧରେ ୨୦୧୫, ଅଗଷ୍ଟ ୨୦ରେ ଅଭିଯୋଗ କରିଥିଲେ। ଝିଅକୁ ବାହା କରାଇ ଦେବାକୁ କହି ସାରଥି ମା-ଝିଅଙ୍କ ନିକଟରୁ ଚଞ୍ଚକତା କରି ସଞ୍ଚିତ ୧ ଲକ୍ଷ ୧୫ ହଜାର ଟଙ୍କା ଓ ସୁନା ଅଳଙ୍କାର ନେଇ ଯାଇଥିଲା। ପାଶବିକ ଅତ୍ୟାଚାର କରିଥିଲା। ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ବୋଲି ଯୁବତୀ ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୋଗକୁ ଆଧାର କରି ଆଇପିସିର ଦଫା ୧୨୦-ବି, ୪୨୦, ୩୫୪, ୫୦୬ ଓ ୩୪ରେ କ୍ରାଇମବ୍ରାଞ୍ଚ୍‌ ମାମଲା(ନ˚-୨୦/୨୦୧୫) ରୁଜୁ କରିଥିଲା। କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ ଅଦାଲତରେ ତଦନ୍ତକାରୀ ସ˚ସ୍ଥା ସାରଥି ଓ ତାଙ୍କ ସହଯୋଗୀ ଶରତ ପାତ୍ରଙ୍କ ବିରୋଧରେ ୨୦୧୫, ଡିସେମ୍ବର ୧୧ରେ ଏହି ମାମଲାରେ ଚାର୍ଜସିଟ୍‌ ଦାଖଲ୍‌ କରିଥିଲା।

ଉଲ୍ଲେଖଯୋଗ୍ୟ, ସାରଥି ବିରୋଧରେ ଯେଉଁ ଦଫାରେ ଚାର୍ଜସିଟ୍ ଦାଖଲ ହୋଇଥିଲା, ସେଥିରେ ସେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାକୁ ଅତି ବେଶିରେ ୭ ବର୍ଷ ଦଣ୍ଡାଦେଶ ହୋଇପାରେ। ମାମଲା ବିଚାରାଧୀନ ଥିବା ବେଳେ ସେ ଏବେ ସାଢେ ତିନି ବର୍ଷରୁ ଅଧିକ ଜେଲରେ ରହି ସାରିଲାଣି। ଏପରି ପରିସ୍ଥିତିରେ ସିଆରପିସିର ଦଫା ୪୩୬-କ ଅନୁସାରେ ଜାମିନ ପ୍ରଦାନ ପାଇଁ ସାରଥି ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଶେଷରେ, ହାଇକୋର୍ଟ ତାକୁ ଏହି ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି।

ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ସାରଥିକୁ ନିମ୍ନ ଅଦାଲତ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତାଙ୍କ ସହିତ କୌଣସି ଯୋଗାଯୋଗ କରିବା ପାଇଁ ସେ ଚେ‌ଷ୍ଟା କରିବ ନାହିଁ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି ସେ କୌଣସି କାର୍ଯ୍ୟ କରିବ ନାହିଁ ଓ ନିମ୍ନ ଅଦାଲତରେ ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ସର୍ତ୍ତାରୋପ କରାଯାଇଛି। ଯଦି ସାରଥି ସର୍ତ୍ତ ଉଲ୍ଲଂଘନ କରନ୍ତି, ତେବେ ଜାମିନ ରଦ୍ଦ ହେବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ମାନସ ଚାନ୍ଦ ମାମଲା ପରିଚାଳନା କରୁଥିଲେ।

ପ୍ରକାଶଥାଉକି, କ୍ରାଇମବ୍ରାଞ୍ଚ ପକ୍ଷରୁ ରୁଜୁ ୩ଟି ମାମଲାରୁ ୨ଟିରେ ସାରଥି ପୂର୍ବରୁ ଜାମିନ ପାଇ ସାରିଥିଲା। ବିବାଦୀୟ ଡାକ୍ତର ଛାତ୍ରୀଙ୍କ ମାମଲାରେ ସାରଥିକୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ମୂଳ କ୍ରାଇମବ୍ରାଞ୍ଚ ମାମଲାରେ ୨୦୧୭, ଅଗଷ୍ଟ ୪ରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ତୃତୀୟ ମାମଲାରେ ଜାମିନ୍ ମିଳିବା ପରେ ତାର ଜେଲ୍‌ରୁ ମୁକୁଳିବା ଆଶା ଉଜ୍ଜୀବିତ ହୋଇଛି।

ସମ୍ବନ୍ଧିତ ଖବର