ଆଇନଜୀବୀଙ୍କୁ ପୁଲିସ ମାଡ଼ ମାମଲା: ୧୮ରେ ପରବର୍ତ୍ତୀ ଶୁଣାଣି

କଟକ : ଏକ ଦୁର୍ଘଟଣାକୁ କେନ୍ଦ୍ର କରି ନୂଆ ବଜାର ଛକରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଗଲା ଅଗଷ୍ଟ ୨୯ରୁ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଅନ୍ୟପକ୍ଷରେ ଏହାକୁ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଜି ପ୍ରତିଜବାବ ଦାଖଲ କରାଯାଇଛି। ପୂର୍ବରୁ ମାମଲାରେ କଟକ ଡିସିପିଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଥିଲା। ଏହା ପରେ ଆବେଦନକାରୀ କଟକ ବାର୍‌ ଆସୋସିଏସନ୍‌ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶ ଚନ୍ଦ୍ର ଜେନା ଏବଂ ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ତରଫରୁ ପୃଥକ ଭାବେ ଦୁଇଟି ପ୍ରତିଜବାବ ଦାଖଲ ହୋଇଛି। ଡିସିପି ସତ୍ୟପାଠରେ ଠିକ ତଥ୍ୟ ପ୍ରଦାନ କରି ନାହାନ୍ତି ଓ ଏପରି ପରିସ୍ଥିତିରେ ଏହି ଜବାବ ଗ୍ରହଣୀୟ ନୁହେଁ। ଏହାକୁ ଅଗ୍ରାହ୍ୟ କରାଯାଉ ବୋଲି ପ୍ରତିଜବାବରେ ଦର୍ଶାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୮ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଆଇନଜୀବୀଙ୍କ ମାଡ ପ୍ରସଂଗକୁ ନେଇ ଗୋଟିଏ ମାମଲା କଟକ ବାର୍‌ ଆସୋସିଏସନ୍‌ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶଚନ୍ଦ୍ର ଜେନା, ଅନ୍ୟଟି ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ସବ୍ୟସାଚୀ ମହାପାତ୍ର ଓ ତୃତୀୟ ମାମଲାଟି ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ଦାୟର କରିଛନ୍ତି।

ଅନ୍ୟପକ୍ଷରେ ଜାରି ରହିଥିବା ଆଇନଜୀବୀ ଆନ୍ଦୋଳନକୁ ସମର୍ଥନ କରି ମୋହରିର ସଂଘ ଓ ନୋଟାରି ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି ବୋଲି କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର