୫ ପର୍ଯ୍ୟନ୍ତ ଆଇନଜୀବୀଙ୍କ ଆନ୍ଦୋଳନ : ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି, ତଦନ୍ତକାରୀ ଅଧିକାରୀଙ୍କୁ ହାଜିରା ନିର୍ଦ୍ଦେଶ

କଟକ : ସେପ୍ଟେମ୍ବର ୫ ତାରିଖ ଯାଏ ଜାରି ରହିବ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଜଣେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଅଗଷ୍ଟ ୨୯ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ଆନ୍ଦୋଳନକୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ଅଗଷ୍ଟ ୨୮ରେ ରୁଜୁ କରାଯାଇଥିବା ଏତଲା ଆଧାରରେ ଚାଉଳିଆଗଞ୍ଜ ଥାନାରେ ସ୍ଥାନୀୟ ବ୍ୟକ୍ତି ଓ ପିସିଆର ଭ୍ୟାନ ପୁଲିସ କର୍ମଚାରୀଙ୍କ ବିରୋଧରେ ଆଇପିସିର ଅନ୍ୟ ଦଫା ସହିତ ଦଫା ୩୦୭ରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଆଇନଜୀବୀଙ୍କ ପକ୍ଷରୁ ସେମାନଙ୍କ ଗିରଫ ଦାବି କରାଯାଉଛି। ଏହା ସହିତ କଟକର ବିଭିନ୍ନ ବାରର ସଭାପତି, ସଂପାଦକ, ବରିଷ୍ଠ ସଦସ୍ୟ ଓ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷଙ୍କୁ ନେଇ ଏକ କମିଟି ଗଠନ ପାଇଁ ଆଜିର ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।

ଆସନ୍ତା ବୁଧବାର ଦିନ ୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ କୁମାର ନାୟକ, ପ୍ରଦୀପ କୁମାର ମହାନ୍ତି, ସୁରେଶ କୁମାର ଜେନା, ପ୍ରସନ୍ନ କୁମାର ପାଢୀ, କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ଉପସଭାପତି କୃପାସିନ୍ଧୁ ସାହୁ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟ୍ସ ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ କୁମାର ପରିଡ଼ାଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ଅନ୍ୟପଟେ ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାକୁ ନେଇ ଦାୟର ଦୁଇଟି ପୃଥକ ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ଅନୁଷ୍ଠିତ ହେବ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ସମୟରେ ଚାଉଳିଆଗଞ୍ଜ ଥାନାରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଦାୟର ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗୋଟିଏ ମାମଲା କଟକ ବାର୍‌ ଆସୋସିଏସନ୍‌ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶଚନ୍ଦ୍ର ଜେନା ଦାୟର କରିଥିବା ବେଳେ ଅନ୍ୟଟି ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ସବ୍ୟସାଚୀ ମହାପାତ୍ର ଦାୟର କରିଛନ୍ତି। ଏପରି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବା ସହିତ ସମଗ୍ର ଘଟଣାର ବିଚାରବିଭାଗୀୟ ତଦନ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବା ଏବଂ ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, ସିବିଆଇ, ପୁଲିସ କମିସନର ଓ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର