ମିଥ୍ୟା ସତ୍ୟପାଠ ମାମଲା, ପୁଲିସ ତଦନ୍ତ ଉପରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର : ମିଥ୍ୟା ସତ୍ୟପାଠ ମାମଲାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏସଡିଜିଏମ କୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶ ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି । ହାଇକୋର୍ଟରେ ଆଜି ଏ ନେଇ ଚାଲିଥିବା ଶୁଣାଣୀ ବେଳେ ବୈଜୟନ୍ତଙ୍କ ଓକିଲ କହିଥିଲେ ଯେ ଗତ ୧ ତାରିଖରେ ଦିଆଯାଇଥିବା ଏହି ନିର୍ଦ୍ଦେଶ ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରୁଛି । ଏଣୁ ଏହି କାର୍ଯ୍ୟାନୁଷ୍ଠାନ ରଦ୍ଦ ହେବା ଉଚିତ । ସାଂସଦଙ୍କ ଓକିଲ ଓ ରାଜ୍ୟ ସରକାରଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ମାନ୍ୟବର ହାଇକୋର୍ଟ ଏହି ମାମଲାରେ ପୁଲିସ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଅଭିଯୋଗ ଅନୁସାରେ, ସାଂସଦ ହେବା ସହ ଇମ୍ଫାର ଉପସଭାପତି ପଦବିରେ ରହି କୋଟି କୋଟି ଟଙ୍କା ଦରମା ନେଇଥିଲେ ବୈଜୟନ୍ତ । ତେବେ ନିର୍ବାଚନ ସତ୍ୟପାଠରେ ଏହି ସୂଚନା ଦେଇନଥିଲେ । ଏହି ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ା ଲୋକସଭାମଣ୍ଡଳୀର ଲୋକଙ୍କୁ ଠକିଥିବା ଅଭିଯୋଗ କରିଥିଲେ ଦିଲ୍ଲୀପ କୁମାର ଦାସ ନାମକ ଜଣେ ବ୍ୟକ୍ତି ।ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏପରି କାର୍ଯ୍ୟ ଲୋକ ପ୍ରତିନିଧି ଆଇନର ଧାରା ୧୨୫(କ)ର ଉଲଂଘନ କରୁଥିବା ସେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର