ଓଡ଼ିଶା ହୋମ୍ସ ଏମ୍‌ଡିଙ୍କ ଜାମିନ ଖାରଜ

କଟକ : ଓଡ଼ିଶା ହୋମ୍ସ ପ୍ରାଇଭେଟ ଲିମିଟେଡ଼ ପରିଚାଳନା ନିର୍ଦ୍ଦେଶକ ଜଗତଜୀବନ ନାୟକଙ୍କ ଜାମିନ ଆବେଦନ କଟକ ସ୍ବତନ୍ତ୍ର ଅଦାଲତରେ ଜାମିନ ଖାରଜ ହୋଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ହୋମ୍ସ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ ଖୋଲିବା ପରେ ଜଟଣୀ ତହସିଲ ଅନ୍ତର୍ଗତ କୁହା ମୌଜାରେ ଫ୍ଲାଟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ୧୧୫ଜଣଙ୍କ ନିକଟରୁ ୫ କୋଟି ଟଙ୍କାରୁ ଅଧିକ ଆଦାୟ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସଂସ୍ଥା ପ୍ରତିଶ୍ରୁତି ଅନୁସାରେ ଫ୍ଲାଟ ଯୋଗାଇବାରେ ବିଫଳ ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ସଂସ୍ଥା ବିରୋଧରେ ମାମଲା ରୁଜୁ କରି ୨୦୧୮, ଜାନୁଆରି ୩୦ରେ ପରିଚାଳନା ନିର୍ଦେଶକ ଶ୍ରୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର