ଧାନର ଏମ୍‌ଏସ୍‌ପି ପ୍ରସଙ୍ଗ ନେଇ ଗୃହ କମିଟି ବୈଠକ : ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତିଙ୍କୁ ଭେଟିବ ଗୃହ କମିଟି

ବିଜେପିର ୨ ସଦସ୍ୟ, ଯୋଗାଣ ମନ୍ତ୍ରୀ ଅନୁପସ୍ଥିତ

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଧାନର କ୍ୱିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଭେଟିବାକୁ ଯିବ ନାହିଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି। ବରଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପାଇଁ ସମୟ ଲୋଡ଼ିବ।

ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପୂର୍ବତନ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ବିଜେଡି ବିଧାୟକ ସଂଜୟ କୁମାର ଦାସବର୍ମା କହିଲେ ଯେ ବିଧାନସଭା ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟି ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି ପ୍ରସ୍ତାବ ନେଇ ସ୍ମାରକପତ୍ର ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ତୁରନ୍ତ ଗୃହ କମିଟି ପକ୍ଷରୁ ବାଚସ୍ପତି ତାଙ୍କୁ ସାକ୍ଷାତ ପାଇଁ ସମୟ ଦେବାକୁ ଅନୁରୋଧ କରାଯିବ। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ବିଧାନସଭା ଗୃହ କମିଟି ସାକ୍ଷାତ କରିବା ପାଇଁ ଅନୁରୋଧ କରି ଚିଠି ଲେଖାଯାଇଥିଲା। କିନ୍ତୁ ସେ ସାକ୍ଷାତ କରିବା ଦୂରର କଥା, ପ୍ରାପ୍ତିସ୍ୱୀକାର ପତ୍ରଟିଏ ବି ଦେଲେ ନାହିଁ। ଏଣୁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗୃହ କମିଟି ନିଷ୍ପତ୍ତି ନେଇଥିବା ଶ୍ରୀ ଦାସବର୍ମା କହିଥିଲେ।

ବୈଠକରେ ବିଜେପି ବିଧାୟକ ତଥା ଗୃହ କମିଟି ସଭ୍ୟ କନକ ବର୍ଦ୍ଧନ ସିଂହଦେଓ ଓ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଅନୁପସ୍ଥିତ ଥିଲେ। ଏ ନେଇ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଥିଲା। ବିଜେପି ଚାଷୀଙ୍କ ବିକାଶ ଚାହେଁନି। ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବିଜେପିକୁ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍‌ ପିଛା ୨୦୦ ଟଙ୍କା ବୃଦ୍ଧି କରି ବିଜେପି ବାହାବା ନେଉଛି। କିନ୍ତୁ ୨୦୧୧-୧୨ରେ ଉପା ସରକାର କ୍ୱିଣ୍ଟାଲ୍‌ ପିଛା ୧୮୦ ଟଙ୍କା ବୃଦ୍ଧି କରିଥିଲେ। ଖୋଦ୍‌ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବୈଠକରେ ଅନୁପସ୍ଥିତ ଥିଲେ। ତାଙ୍କର ଅନ୍ୟ କାମ ଥିବାରୁ ସେ ଯାଇପାରିନଥିବା ପ୍ରକାଶ କରିଥିଲେ।

ରାଜ୍ୟରେ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ଖର୍ଚର ଦେଢ଼ ଗୁଣ ହିସାବରେ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ନେଇ ପୂର୍ବରୁ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବକୁ ବିଜେପି ସଭ୍ୟମାନେ ମଧ୍ୟ ସମର୍ଥନ କରିଥିଲେ। ତଦନୁଯାୟୀ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୯ଜଣ ସଦସ୍ୟଙ୍କୁ ନେଇ ଗୃହ କମିଟି ଗଠିତ ହୋଇଛି। ଆଜିର ବୈଠକରେ ସେହି ପ୍ରସଙ୍ଗ ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ କମିସନ ଫର୍‌ ଏଗ୍ରକଲ୍ଚର କଷ୍ଟ୍‍ସ ଆଣ୍ଡ ପ୍ରାଇସେସ୍‌(ସିଏସିପି) ରାଜ୍ୟ ସରକାରଙ୍କ ସହିତ ଧାନର ଏମ୍‌ଏସ୍‌ପି ନିର୍ଧାରଣ ସଂପର୍କରେ ଆଲୋଚନା କଲା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୱିଣ୍ଟାଲ୍‌ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ସୁପାରିସ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ସୁପାରିସ୍‌କୁ ବିଚାରକୁ ନ ନେଇ ଗତ ଜୁଲାଇ ୪ ତାରିଖରେ ସାଧାରଣ ଧାନର ଏମ୍‌ଏସ୍‌ପି ମୂଲ୍ୟ କ୍ୱିଣ୍ଟାଲ୍‌ ପିଛା ୧୭୫୦ ଟଙ୍କାକୁ ବୃଦ୍ଧି ଅର୍ଥାତ୍‌ କ୍ୱିଣ୍ଟାଲ୍‌ ପିଛା ୨୦୦ ଟଙ୍କା ବୃଦ୍ଧି କରିଛନ୍ତିି କେନ୍ଦ୍ର ସରକାର। ଏହି ମୂଲ୍ୟ ବୃଦ୍ଧି ସମୁଦ୍ରକୁ ଶଙ୍ଖେ ଏବଂ ରାଜ୍ୟ ଚାଷୀଙ୍କ ପାଇଁ ଆଦୌ ସୁହାଇବ ନାହିଁ ବୋଲି କହିଛନ୍ତି ଶ୍ରୀ ଦାସବର୍ମା।

ସମ୍ବନ୍ଧିତ ଖବର