କଟକ : ରାଜ୍ୟ ମାନବାଧିକାର କମିସନରେ ସ୍ଥାୟୀ ଅଧୢକ୍ଷ ପଦ କେବେ ପୂରଣ ହେବ ସେ ନେଇ ସରକାର ଏପ୍ରିଲ ୧୫ ତାରିଖ ଦିନ ସ୍ପଷ୍ଟ କରିବେ। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ଓ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଏହି ପ୍ରସଂଗରେ ଅବଗତ କରିବା ପାଇଁ ଅଧିକ ସମୟ ଲୋଡା ଯାଇଥିଲା। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ରାଜ୍ୟ ମାନବାଧିକାର କମିସନଙ୍କ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ମାନବାଧିକାର କମିସନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଖାଲି ପଡିଥିବା ଅଧ୍ୟକ୍ଷ ପଦ କେବେ ପୂରଣ ହେବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ କରିବାକୁ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ଦାସ ଓ ଶ୍ରୀ ମହାନ୍ତି ମାନବାଧିକାର କମିସନ୍ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗକୁ ନେଇ ଦୁଇଟି ପୃଥକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର କରିଛନ୍ତି। ମାନବାଧିକାର କମିସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ସ୍ଥାୟୀ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/ohc-2.jpg)