ସୁପ୍ରିମକୋର୍ଟରେ ଓଡ଼ିଶାର ବେଆଇନ ଖଣି ଖନନ କାରବାର: ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ରିପୋର୍ଟ ଦାଖଲ

ନୂଆଦିଲ୍ଲୀ: ଓଡ଼ିଶାରେ ବେଆଇନ ଖଣି ଖନନ କାରବାରରେ ତଦନ୍ତ କରୁଥିବା ଦୁଇଜଣିଆ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ମଦନ ବି ଲୋକୁର ଓ ବର୍ତ୍ତମାନର ବିଚାରପତି ଦୀପକ ଗୁପ୍ତାଙ୍କ ଦ୍ବାରା ନଭେମ୍ବର ୨୨, ୨୦୧୭ରେ ରୁଲ୍‌ ୩୭ର ଉଲ୍ଲଂଘନ ସହିତ ଏମଏମଡିଆର ଆଇନର ସେକ୍ସନ ୬ (ଖ) ର ଉଲ୍ଲଂଘନ ସମ୍ବନ୍ଧରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ସୁପ୍ରିମକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତି ଜି.ଏସ. ସିଂଘଭି ଓ ବିଚାରପତି ଏ.ଆର. ଡାଭେଙ୍କୁ ନେଇ କମିଟି ଗଠନ କରାଯାଇଥିଲା। ୨୦୧୭ ମସିହା ଅଗଷ୍ଟ ୨ରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ରୁଲ୍‌ ୩୭ର ଉଲ୍ଲଂଘନ କରିଥିବା ୭ ଜଣ ଖଣି ଲିଜ୍‌ଧାରୀ ଓ ସେକ୍ସନ ୬ (ଖ)ର ଉଲ୍ଲଂଘନ କରିଥିବା ୪ ଜଣ ଲିଜ୍‌ଧାରୀଙ୍କ ମାମଲାର ଶୁଣାଣି କରି ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି କରି ପଦକ୍ଷେପ ନେବେ ବୋଲି କହିଥିଲେ।

ଦୁଇ ଜଣିଆ କମିଟିକୁ ସୁପ୍ରିମକୋର୍ଟ ଖଣି ଲିଜ୍‌ଧାରୀ ଓ ଠିକାଦାର ମଧ୍ୟରେ ଚୁକ୍ତି ମୁତାବକ ଖଣି ଖନନ ହୋଇଛି କି ନାହଁ, ଲିଜଧାରୀମାନେ ସରକାରଙ୍କ ବିନା ଅନୁମତିରେ ଅନ୍ୟମାନଙ୍କୁ ସବ୍‌ଲିଜ୍‌ ଦେଇଛନ୍ତି କି ନାହିଁ, ନିର୍ଦ୍ଧାରିତ ଅଞ୍ଚଳଠାରୁ ଅଧିକ ସ୍ଥାନରେ ଖନନ କରାଯାଇଛି କି ନାହିଁ ଏସବୁ ପ୍ରଶ୍ନ ଏବଂ ଏ ସଂକ୍ରାନ୍ତ ଅଭିଯୋଗ ଗୁଡ଼ିକର ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗଇ ଓ ବିଚାରପତି ଦୀପକ ଗୁପ୍ତାଙ୍କ ଦ୍ବାରା ଦୁଇଜଣିଆ କମିଟିକୁ ସେ‌େପ୍ଟମ୍ବର ଶେଷ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଦୁଇ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଜଉମୁଦ ଲଫାଫାରେ ତଦନ୍ତର ବିସ୍ତୃତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହାର ଶୁଣାଣି ପାଇଁ କୋର୍ଟ ଅକ୍ଟୋବର ୨୪କୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର