ସୂଚନା କମିସନ କାର୍ଯ୍ୟାଳୟ : ୭ମାସରେ ୨୫୭ ମାମଲା ଫଇସଲା, ପଡ଼ି ରହିଛି ୧୨ହଜାର ମାମଲା

ଭୁବନେଶ୍ବର : ରାଜ୍ୟ ସୂଚନା କମିସନଙ୍କ ନିକଟରେ ପଡ଼ି ରହିଛି ହଜାର ହଜାର ମାମଲା। ମାମଲା ଶୁଣାଣିରେ ମନ୍ଥରତା ଏଥିରେ ପ୍ରମୁଖ ବାଧକ ସାଜିଛି। ପ୍ରତିଦିନ ଯେଉଁ ହାରରେ ମାମଲାର ଶୁଣାଣି ହେଉଛି ଏହି ପ୍ରକ୍ରିୟା ଜାରି ରହିଲେ ସବୁ ମାମଲାର ଶୁଣାଣି ଶେଷ ହେବାକୁ ଆହୁରି ବହୁବର୍ଷ ଲାଗିବ।

ରାଜ୍ୟ ସୂଚନା କମିସନଙ୍କ କାର୍ଯ୍ୟାଳୟରେ ମୁଖ୍ୟ ସୂଚନା କମିସନଙ୍କ ବାଦ୍ ଆହୁରି ୨ଜଣ ସଦସ୍ୟ ରହିଛନ୍ତି। କମିସନଙ୍କ ନିକଟକୁ ରାଜ୍ୟବ୍ୟାପୀ ଆସୁଥିବା ମାମଲାର ଶୁଣାଣି ୩ଜଣ ସଦସ୍ୟ କରୁଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଏବେ ସୂଚନା କମିସନଙ୍କ ନିକଟରେ ୩ବର୍ଷ ପୁରୁଣା ମାମଲାର ଶୁଣାଣି ଚାଲିଛି। ଗତବର୍ଷ ଜୁନ୍ ମାସରୁ ଡିସେମ୍ବର ମାସ ମଧ୍ୟରେ କମିସନଙ୍କ ନିକଟରେ ସମୁଦାୟ ୮୧୮ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିରୁ ୨୫୭ଟି ମାମଲାର ଫଇସଲା ହୋଇଛି। ସେହିପରି ଦ୍ବିତୀୟ ବାର ହୋଇଥିବା ଆବେଦନ ହୋଇଥିବା ୪୫୩୧ ମାମଲା ମଧ୍ୟରୁ ୧୩୨୬ ମାମଲାର ଫଇସଲା ହୋଇପାରିଛି। ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ର ୭ମାସ ମଧ୍ୟରେ ୨୦୭୮ ମାମଲା (କମ୍ପ୍ଲେଣ୍ଟ ଓ ସେକେଣ୍ଡ ଅପିଲ୍‌)ର ଶୁଣାଣି କରିଥିବା ବେଳେ ୭୩୩ ମାମଲାର ଫଇସଲା କରିଛନ୍ତି। ମାସକୁ ପ୍ରାୟ ୩ଶହ ମାମଲାର ଶୁଣାଣି ଓ ୧୦୪ ମାମଲାର ଫଇସଲା କରିଛନ୍ତି ମୁଖ୍ୟ ସୂଚନା କମିସନର। ସେହିପରି କମିସନର ଅନ୍ୟତମ ସଦସ୍ୟ ଏଲ.ଏନ୍ ପଟ୍ଟନାୟକ ଉଭୟ ମାମଲାକୁ ମିଶାଇ ୧୫୮୭ ମାମଲାର ଶୁଣାଣି ଓ ୩୯୦ ମ‌ାମଲାର ଫଇସଲା କରିଛନ୍ତି। ସେ ମାସକୁ ପ୍ରାୟ ୨୨୬ ମାମଲାର ଶୁଣାଣି ଓ ୫୫ ମାମଲାର ଫଇସଲା କରିଛନ୍ତି। ଅନ୍ୟତମ ସଦସ୍ୟ ଶଶିପ୍ରଭା ବିନ୍ଧାଣୀ ଗତ ୭ମାସ ଭିତରେ ୧୬୮୪ ମାମଲାର ଶୁଣାଣି ଓ ୪୬୦ ମାମଲାର ଫଇସଲା କରିଛନ୍ତି। ସେ ମାସକୁ ପ୍ରାୟ ୨୪୦ ମାମଲାର ଶୁଣାଣି ହିସାବରେ ୬୫ ମାମଲାର ଫଇସଲା କରିଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି।

ଅପରପକ୍ଷରେ ଗତବର୍ଷ ଜାନୁଆରୀ ମାସରୁ ଡିସେମ୍ବର ମାସ ମଧ୍ୟରେ ମୁଖ୍ୟ ସୂଚନା କମିସନର ସମୁଦାୟ ୧୮୯ଦିନ ଶୁଣାଣି କରିଥିବା ବେଳେ ଶ୍ରୀ ପଟ୍ଟନାୟକ ୧୮୬ଦିନ ଓ ଶ୍ରୀମତୀ ବିନ୍ଧାଣୀ ୧୮୫ ଦିନ ଶୁଣାଣି କରିଛନ୍ତି। ଦେଖିବାକୁ ଗଲେ ପ୍ରତ୍ୟେକ କମିସନର ମାସକର ମାତ୍ର ୧୫ଦିନ ହିଁ ଶୁଣାଣି କରୁଛନ୍ତି। ଏହାସହ ଦଣ୍ଡବିଧାନର ମାତ୍ରା ମଧ୍ୟ ଯଥେଷ୍ଟ କମ୍ ରହିଛି। ମୁଖ୍ୟ ସୂଚନା କମିସନର ୪ ପ୍ରତିଶତ ହାରରେ ମାତ୍ର ୨୯ଟି ମାମଲାରେ ୨ଲକ୍ଷ ୭୬ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଶ୍ରୀମତୀ ବିନ୍ଧାଣୀ ୦.୪୫ ପ୍ରତିଶତ ହାରରେ ମାତ୍ର ୨ଟି ମାମଲାରେ ୬ହଜାର ଟଙ୍କା ଓ ଶ୍ରୀ ପଟ୍ଟନାୟକ ୧.୭୯ ପ୍ରତିଶତ ହାରରେ ୭ଟି ମାମଲାରେ ୧ଲକ୍ଷ ୭୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଏହାସହ ସୂଚନା ଅଧିକାର ଆଇନ ଅନୁସାରେ ଲୋକସଂପର୍କ ଅଧିକାରୀ ବା ପିଆଇଓ କୌଣସି କ୍ଷେତ୍ରରେ ତ୍ରୁଟି କଲେ ଏଥିପାଇଁ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ମାତ୍ର ୩ଜଣ ସୂଚନା କମିସନ କାହା ବିରୋଧରେ ଦଣ୍ଡବିଧାନ କରି ନାହାନ୍ତି। ଏବେ ସୂଚନା କମିସନଙ୍କ ନିକଟରେ ସମୁଦାୟ ୧୧ହଜାର ୭୬୨ଟି ମାମଲା ପଡ଼ି ରହିଛି।

ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନଙ୍କ କହିବା ମୁତାବକ, ଏବେ କମିସନଙ୍କ ନିକଟରେ ୩ବର୍ଷ ତଳର ପୁରୁଣା ମାମଲାର ବିଚାର ଚାଲିଥିବା ବେଳେ ଯଦି ଏଭଳି ଅବସ୍ଥା ଲାଗି ରହେ ତେବେ ୨୦୧୯ ମସିହାର ମାମଲାର ୨୦୨୪ ମସିହା ବେଳକୁ ଶୁଣାଣି ହେବ।

ସମ୍ବନ୍ଧିତ ଖବର