ସାମ୍ବାଦିକଙ୍କ ପ୍ରତି ଅଭିଜିତଙ୍କ ଅପମାନସୂଚକ ମନ୍ତବ୍ୟର ପ୍ରତିବାଦ

ଭୁବନେଶ୍ୱର : ଓଡ଼ିଶାର ଗଣମାଧ୍ୟମ ପ୍ରତି ଅଭିଜିତ ଆୟାର ମିତ୍ରଙ୍କ ଅପମାନସୂଚକ ମନ୍ତବ୍ୟକୁ ନେଇ ରାଜ୍ୟର ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ବିଧାନସଭାରେ ସାମ୍ବାଦିକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହ ତାଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ।

ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ସାମ୍ବାଦିକମାନେ ଭେଟି ଲିଖିତ ଦାବି ପତ୍ର ଦେଇଥିଲେ। ଅଭିଜିତଙ୍କ ପରି ଜଣେ ବିକୃତ ମାନସିକତା ରଖିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗଣମାଧ୍ୟମ ପ୍ରତି ଏପରି ଟିପ୍ପଣୀକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିବା ସହ ଏପରି କରାଯିବା ଠିକ୍‌ ନୁହେଁ ବୋଲି କହିଥିଲେ। ବିରୋଧୀ ଦଳ ନେତା ସାମ୍ବାଦିକଙ୍କ ଦାବି ପତ୍ର ଗ୍ରହଣ କରି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଓଡିଶାର ଗଣମାଧ୍ୟମ ପ୍ରତି ସେହି ବ୍ୟକ୍ତି ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାମ୍ବାଦିକ ବନ୍ଧୁମାନେ ଦାବି କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଓଡିଶାର ସାମ୍ବାଦିକ, ବୁଦ୍ଧଜୀବୀ ଓ ଅନ୍ୟ ସବୁ ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଗୃହରେ ଏହି ପ୍ରସଙ୍ଗ ଉଠାଇ ଅଭିଜିତଙ୍କ ମନ୍ତବ୍ୟକୁ ନିନ୍ଦା କରିଥିଲେ।

ସମ୍ବନ୍ଧିତ ଖବର