ଜମି ହଡ଼ପକାରୀଙ୍କୁ ସରକାରୀ ସୁରକ୍ଷା!

ଭୁବନେଶ୍ୱର : ହଜାରେ କି ଦୁଇ ହଜାର ଏକର ନୁହେଁ। ପାଖାପାଖି ୪୦ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲରେ ରହିଛି। ବର୍ତମାନର ବଜାର ଦରରେ ଜବରଦଖଲରେ ଥିବା ଏସବୁ ଜମିର ଆନୁମାନିକ ମୂଲ୍ୟ ୪ହଜାର କୋଟିି ହୋଇପାରେ। ଏହି ଜମି ଜବରଦଖଲକାରୀଙ୍କ ମଧ୍ୟରେ ନେତା ଅଛନ୍ତି, ପ୍ରଶାସକ ବି। ହେଲେ ଏସବୁ ଜମିକୁ ଜବରଦଖଲ ମୁକ୍ତ କରିବା ଲାଗି ସରକାରଙ୍କର ଆଗ୍ରହ ରହିଛି, ଏକଥା ପରିଲକ୍ଷିତ ହେଉନାହିଁ। ୨୦୦୯ରୁ ୨୦୧୪ ମଧ୍ୟରେ ଖୋଦ୍‌ ସିଏଜି ବିଭିନ୍ନ ସମୟରେ ରିପୋର୍ଟ ଦେଇଥିଲେ ହେଁ, ଏହାକୁ ନେଇ ସରକାରୀସ୍ତରରେ ଯେଭଳି ତନାଘନା ହେବା କଥା ତାହା ହୋଇନାହିଁ। କେବଳ ଏତିକି ନୁହେଁ, ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ହିସାବକୁ ନେଲେ, ହଡ଼ପ ଜମିର ପରିମାଣ ଆହୁରି ବଢିଯିବ।

ସବୁଠାରୁ ବଡ଼ କଥା ହେଲା, ଗୋଟିଏ ସମୟରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ହାତଛଡ଼ା ହୋଇଥିବା ଜମିର ଉଦ୍ଧାର କରାଯିବ। ଏଥିପାଇଁ ରାଜସ୍ୱ ବିଭାଗରେ ଏକ ସ୍ୱତନ୍ତ୍ର ସେଲ୍‌ ଖୋଲାଯାଇଥିଲା। ହେଲେ କଣ ହେଲା କେଜାଣି ଏହି ସେଲ୍‌ ଏବେ ବନ୍ଦ ହୋଇଯାଇଛି। ବଡ଼ବଡିଆଙ୍କୁ ସୁରକ୍ଷା ଦେବା ପାଇଁ ଏହାକୁ ନିଷ୍କ୍ରିୟ କରିଦିଆଗଲା ନା ଏହା ପଛରେ ଆଉ କଣ କାରଣ ରହିଛି, ସେ ଚିତ୍ର ଏବେଯାଏଁ ଅସ୍ପଷ୍ଟ ରହିଛି। ସେହିଭଳି ଜିଲ୍ଲାସ୍ତରରେ ଥିବା ସେଲ୍‌ ବି କର୍ମଚାରୀ ଅଭାବରୁ ନିଷ୍କ୍ରିୟ ହୋଇଯାଇଛି।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ରାଜ୍ୟସ୍ତରୀୟ ସେଲ୍‌ ଖୁବ୍‌ ଶୀଘ୍ର ପୁଣି କାର୍ଯ୍ୟକ୍ଷମ ହେବ। ଜିଲ୍ଲାସ୍ତରରେ ମଧ୍ୟ ସେଲ୍‌କୁ ସକ୍ରିୟ କରାଯିବ। ଶ୍ରୀଜଗନ୍ନାଥଙ୍କ ଜମି ହଡ଼ପକାରୀଙ୍କ ଠାରୁ ମୁକ୍ତ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସେଲ୍‌ ଖୋଲିବାକୁ ବିଚାର ଚାଲିଛି।

ଉଲ୍ଲେଖଯୋଗ୍ୟ, ଜମି ନଥିବା ଗରିବ ଲୋକଟିଏ ଇଞ୍ଚେ ଜମି ମାଡ଼ିବସିଥିଲେ, ତାକୁ ତୁରନ୍ତ ଖାଲି କରିବା ପାଇଁ ଲାଗି ପଡୁଛନ୍ତି ସରକାର। ଖରା, ବର୍ଷା, ଶୀତରେ ସେ ପରିବାର କିଭଳି ରହିବ, ସେଥିପ୍ରତି ଆଖିବୁଜି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କ୍ଷମତା ପ୍ରୟୋଗ କରିବା ଲାଗି କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ହେଲେ, ଜମି ହ଼ଡପକାରୀଙ୍କ କ୍ଷେତ୍ରରେ ସରକାରଙ୍କର କିନ୍ତୁ ଏଭଳି ତତ୍ପରତା ପରିଦୃଷ୍ଟ ହେଉନାହିଁ। ତାର ଉଦାହରଣ ହେଉଛି, ୨୦୦୯ ମସିହାରୁ ବିଭିନ୍ନ ସମୟରେ ସିଏଜି ଜମି ଦୁର୍ନୀତିର ଯେଉଁ ଲମ୍ବା ତାଲିକା ରଖି ଆସିଛନ୍ତି, ତାର ଶତପ୍ରତିଶତ ଉଦ୍ଧାର ଲାଗି ଏଯାଏ ଠୋସ୍‌ କିଛି ପଦକ୍ଷେପ ନେଇନାହାନ୍ତି ସରକାର।

୨୦୦୯-୧୦ରେ ସିଏଜି ୧୯ ହଜାର ୭୯୨ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ସଂପର୍କରେ ତାଙ୍କ ରିପୋର୍ଟରେ ସୂଚାଇଥିଲେ। ବଡ ବଡ କଂପାନି ୪୦୪ ଏକର ୬୨ ଡିସିମିଲି ଜମି ମାଡିବସିଥିଲେ, ଯାହାର ମୂଲ୍ୟ ସେବେ ୧୦୯ କୋଟି ୯୭ଲକ୍ଷ ହେବ ବୋଲି ଆକଳନ କରାଯାଇଥିଲା। ୨୦୧୦-୧୧ରେ ଜବରଦଖଲ ହୋଇଥିବା ୧୫ ହଜାର ୭୮୨ ଏକର ୬୨ ଡିସିମିଲି ସଂପର୍କରେ ଏଜି ପୁଣି ସତର୍କ କରାଇ ଦେଇଥିଲେ ତାଙ୍କ ରିପୋର୍ଟରେ। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗର ଜମି ସଂପର୍କରେ ବି ଏଥିରେ ସଙ୍କେତ ଦିଆଯାଇଥିଲା। ହେଲେ ଏସବୁ ଜମିର ଭାଗ୍ୟ କଣ, ସରକାରୀ ଖାତାକୁ କେତେ ଫେରିଲାଣି, ଜମିକୁ ଆଣିବା ଲାଗି ସରକାର କି ନୀତି ଗ୍ରହଣ କରିଛନ୍ତି, ସେ ନେଇ ମନ୍ତ୍ରୀଙ୍କ ପାଖରେ ତଥ୍ୟ ନାହିଁ।

ବରିଷ୍ଠ ଆଇପିଏସ୍‌ ଅଧିକାରୀ ସତିଶ କୁମାର ଗଜଭିୟେଙ୍କ ନାମରେ ଆସିଥିବା ଜମି ଦୁର୍ନୀତି ମଧ୍ୟ ଦୁଇବର୍ଷ ତଳେ ଚର୍ଚ୍ଚାର ବିଷୟ ହୋଇଥିଲା। ସେ ଦଖଲ କରିଥିବା ଜମି ମଧ୍ୟରେ ୨୨ ଏକର ସରକାରୀ ଓ ଶ୍ରୀଜଗନ୍ନାଥଙ୍କ ନାମରେ କିଛି ଜମି ଥିବା ଅଭିଯୋଗ ହୋଇଥିଲା। ହେଲେ ଏ ଜମି ସରକାରୀ ଖାତାକୁ ଫେରିଲା ନା ନାହିଁ, ସେ ସଂପର୍କରେ ବି ସରକାର ରାଜ୍ୟବାସୀଙ୍କୁ ଜଣାଇବା ଲାଗି ଏଯାଏ ଆଗ୍ରହ ଦେଖାଇନାହାନ୍ତି।

ରାଜ୍ୟର ୨୩ଟି ଜିଲ୍ଲା ଓ ୬ଟି ରାଜ୍ୟରେ ମହାପ୍ରଭୁଙ୍କର ସମୁଦାୟ ୫୯ ହଜାର ୫୨୬ ଏକର ୧୯ ଡେସିମିଲ ସଂପତ୍ତି ରହିଛି। ନିଜ ନିଜ ଜମିକୁ ଇଞ୍ଚେ କେହି ଛୁଇଁଦେଲେ ବା ଆଖି ପକାଇଲେ କୋର୍ଟ କଚେରି, ଥାନା ଦୁଆରେ ନାହିଁ ନଥିବା କାଣ୍ଡ ଘଟାଉଛନ୍ତି ସରକାରୀ ଅଧିକାରୀ ବା ବାବୁ। ଜଗତର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତିର ସୁରକ୍ଷା ପାଇଁ ଦରମା ପାଉଥିଲେ ହେଁ ଆଜି ଦିନଯାଏ ଏ ମଧ୍ୟରୁ ପାଖାପାଖି ୪୦୦ ଏକର ଜମି କେଉଁଠି ଅଛି, ତାହା ଜାଣିପାରୁନାହାନ୍ତି। ଚିହ୍ନଟ ୫୯ ହଜାର ୧୩୦ ଏକର ୯୩୮ ଡେସିମିଲ ଜମି ମଧ୍ୟରୁ ଅଧା ସଂପତ୍ତି ଅର୍ଥାତ୍‌ ୩୦ ହଜାର ୪୧୨ ଏକର ୨୨୮ ଡେସିମିଲ ଜମି ମହାପ୍ରଭୁଙ୍କ ନାଁରେ ରହିଛି। ବକେୟା ପାଖାପାଖି ୨୮ ହଜାର ୭୧୮ ଏକର ୭୧୦ ଡେସିମିଲ ଅର୍ଥାତ୍‌ ୪୮.୫୭% ଜମିର ରେକର୍ଡ ଅଫ୍‌ ରାଇଟ୍‌ସ ବା ଜମି ସତ୍ତ୍ୱାଧିକାର ସଂଶୋଧନ ହୋଇପାରିନାହିଁ।

ମାତ୍ର ୧୧% ଜମି ଅର୍ଥାତ୍‌ ୬୬୩୮ ଏକର ୭୮୩ ଡେସିମିଲ ଜମିରୁ ରାଜଭାଗ ଆଦାୟ ହେଉଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବରଗଡ଼,ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ସୋନପୁର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼ ଓ କଳାହାଣ୍ଡି ଭଳି ୧୩ଟି ଜିଲ୍ଲାର ୧୪୪୮ ଏକର ୧୪୯ ଡେସିମିଲ ଜମିରୁ ରାଜଭାଗ ଆଦାୟ କରିବା ଲାଗି କେହି ଦାବି କରୁନାହାନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶରେ ଥିବା ୨୦ ଏକର ୭୭୦ ଡେସିମିଲ ଜମିକୁ ବାଦ୍‌ ଦେଲେ ଅନ୍ୟ ପାଞ୍ଚଟି ରାଜ୍ୟରେ ଥିବା ପ୍ରାୟ ୩୯୫ ଏକର ୨୫୨ ଡେସିମିଲ ଜମିରୁ ରାଜଭାଗ ଆଦାୟ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର