ଛତ୍ରପୁର : ସହରାଞ୍ଚଳର ଗରିବ ବସ୍ତିବାସିନ୍ଦାଙ୍କ ‘ସ୍ୱପ୍ନର ଘର’ ଏବେ ‘ଜାଗା’ ଦ୍ୱାରା ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରର ବସ୍ତିବାସିନ୍ଦାଙ୍କ ପାଇଁ ଏହି ନୂଆ ଯୋଜନା ’ଜାଗା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାଦ୍ୱାରା ବର୍ଷକ ମଧ୍ୟରେ ୧୦ ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ବଣ୍ଟନ ଓ ଜାଗା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବସ୍ତିବାସିନ୍ଦାଙ୍କ ଉଚ୍ଛେଦ ନୁହେଁ ସଶକ୍ତିକରଣ ପାଇଁ ଓଡ଼ିଶା ସାରାଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ଏହି ଯୁଗାନ୍ତକାରୀ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ଓ ଏହାକୁ ସଫଳଭାବେ ଆଗେଇନେବାକୁ ତାଙ୍କ ଉଦ୍ୟମ ଜାରି ରହିବ।
‘ ଏହି ମିସନ୍ ମାଧ୍ୟମରେ ଆସନ୍ତା ୧ ବର୍ଷ ମଧ୍ୟରେ ରାଜ୍ୟର ୨୫ ଶହ ସହରାଞ୍ଚଳ ବସ୍ତିରେ ରହୁଥିବା ୧୦ ଲକ୍ଷ ଲୋକ ଉପକୃତ ହେବେ ଏବଂ ଏହି ମିସନ୍ ସମ୍ଭବତଃ ସାରାବିଶ୍ୱରେ ସର୍ବବୃହତ୍ ପ୍ରକଳ୍ପ ଭାବରେ ପରିଗଣିତ ହେବ,’ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଜାଗା ଯୋଜନା’ର ସଫଳତା ପାଇଁ ଚୁକ୍ତି କରିଥିବା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟାଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ଏହାଦ୍ୱାରା ରାଜ୍ୟରେ ସାମାଜିକ ଅସମାନତା ଦୂର ହୋଇପାରିବ। ଏହି କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ସାରାବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିବ।
ରତନ ଟାଟା ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ ବସ୍ତିବାସିନ୍ଦାଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ମୋ ପାଇଁ ବଡ଼ଖୁସି ସ୍ମରଣୀୟ ଦିନ । ଓଡ଼ିଶା ପାଇଁ ବଡ଼ଧରଣର ସ୍ୱତନ୍ତ୍ର ପଦକ୍ଷେପ । ଲକ୍ଷାଧିକ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ମିଳିବ। ବସ୍ତିବାସିନ୍ଦାଙ୍କ ମଧ୍ୟରେ ରହିଥିବା ଅନିଶ୍ଚିତତା ଦୂର ହେବା । ବସ୍ତିବାସିନ୍ଦାଙ୍କ ଭବିଷ୍ୟତ ପାଇଁ ଏହା ନିଶ୍ଚିତ ସମ୍ପତ୍ତି ପାଲଟିବ। ସେହିଭଳି , ଅନ୍ୟତମ ଅତିଥି ତଥା ବିଶିଷ୍ଟ ବ୍ରିଟିଶ୍ ସ୍ଥପତି ଲର୍ଡ ନରମନ୍ ଫଷ୍ଟର ଯୋଗଦେଇଥିଲେ।
ଜମି ଅଧିକାର ମିସନ୍ର ଡ.ଗୌତମ ଭାନ୍ କହିଥିଲେ ଯେ, ବହୁବର୍ଷ ହେଲା ସହରାଞ୍ଚଳ ଜମି ଉପରେ ଚିନ୍ତା କରି ତା’ର ସୁବିନିଯୋଗ ନିମନ୍ତେ ପଦକ୍ଷେପ ନିଆଯାଇଛି । ସହରାଞ୍ଚଳ ଜମି ମୂଲ୍ୟକୁ ଦେଖି ଏହି ବସ୍ତିବାସିନ୍ଦାଙ୍କୁ କିପରି ସହଜରେ ଜମି ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନିଆଯାଇଛି । ଟାଟା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଆର୍.ଭେଙ୍କେଟ ରମଣ ନିଜ ବକ୍ତବ୍ୟ ରଖି ଟାଟାର ସହଯୋଗ ସମ୍ପର୍କରେ ସୂଚନା ଦେଇଥିଲେ।
ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କରୁଥିବା ବିଭିନ୍ନ ଜନହିତକର ଯୋଜନା ମଧ୍ୟରେ ଏହା ଅନ୍ୟତମ ବୋଲି କହିଥିଲେ। ସେ କହିଥିଲେ ଯେ, ଜମି ଉପରେ ଅଧିକାର ନଥିବା ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ପାଇଁ ୨୦୧୭ ମସିହାରେ ଏକ ବିଧେୟକ ପାସ୍ ହୋଇଥିଲା । ତାହା ଆଜି ସଫଳ ରୂପ ନେଇଛି। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଭାରତରେ ଏକ ଆଦର୍ଶ ସୃଷ୍ଟି କରିଛି ବୋଲି କହିଥିଲେ । ରାଜ୍ୟ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ମଧ୍ୟରେ ଏହି ପଦକ୍ଷେପ ଅତି ଉଚ୍ଚକୋଟୀର ବୋଲି କହିଥିଲେ ।
ଛତ୍ରପୁର ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ବଣ୍ଟନ ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଜି.ମାଥିଭଥାନନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଆଜି ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଖଲ୍ଲିକୋଟ, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ଚିକିଟି, ଦିଗପହଣ୍ଡି, ଗୋପାଳପୁର ଏନ୍ଏସି ଏବଂ ହିଞ୍ଜିଳି ପୌରପରିଷଦର ୮ ଟି ସହରାଞ୍ଚଳ ସମେତ ପୁରୀ ଜିଲ୍ଲା କୋଣାର୍କ ଏନ୍ଏସିର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଞ୍ଚରେ ହିଞ୍ଜିଳି ମ୍ୟୁନସିପାଲଟିର ସୁଦେଷ୍ଣା ସେଠୀ, ଛତ୍ରପୁର ଏନ୍ଏସିର କାମିନୀ ବେହେରା, ଦିଗପହଣ୍ଡିର ଧୋବଣୀ ମଲ୍ଲିକ, ଗୋପାଳପୁରର ୟୁ.ଏରେମା, ଖଲ୍ଲିକୋଟର ଝୁନୁ ସାହୁ, କବିସୂର୍ଯ୍ୟନଗରର ଗାୟତ୍ରୀ ବେହେରା, ପୋଲସାରର କାମା ସାହୁ, ଚିକିଟିର ଲଲୀ ନାଇକ ଏବଂ କୋଣାର୍କ ଏନ୍ଏସିର ପ୍ରିୟାଙ୍କା ନାୟକଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।
ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍, ରାଜ୍ୟ ପୌରସଂସ୍ଥା(ପ୍ରଶାସନିକ) ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ମନ୍ତ୍ରୀ ଉଷା ଦେବୀ, ବ୍ରହ୍ମପୁର ସାଂସଦ ଡ.ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ବିଧାୟକ ଦେବରାଜ ମହାନ୍ତି, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସାନଖେମୁଣ୍ଡି ବିଧାୟିକା ନନ୍ଦନୀ ଦେବୀ, ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।