ଦେଶୀ କୃଷି ଯନ୍ତ୍ରପାତି ତିଆରିକୁ ପ୍ରୋତ୍ସାହନ : ୧୦୧ଜଣ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ

କୃଷିମନ୍ତ୍ରୀଙ୍କ ଦ୍ୱାରା ୨ଟି ଯୋଜନା ଆରମ୍ଭ

ଭୁବନେଶ୍ୱର : ଏଣିକି ଚାଷୀ ନିଜ ଜ୍ଞାନକୌଶଳରେ ତିଆରି କରୁଥିବା କୃଷି ଯନ୍ତ୍ରପାତିକୁ ପ୍ରୋତ୍ସାହନ ମିଳିବ। ସେଥିମଧ୍ୟରୁ ଉନ୍ନତ ମାନର ତଥା ଅଭିନବ କୃଷି ଯନ୍ତ୍ରପାତି ତିଆରି ପାଇଁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର। ରାଜ୍ୟସ୍ତରର ୧୧ଜଣ ଏବଂ ଜିଲ୍ଲା ସ୍ତରର ୯୦ଜଣ ଏହିରୂପେ ମୋଟ ୧୦୧ଜଣ ଚାଷୀଙ୍କୁ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଜି ସଚିବାଳୟରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଶୁଭାରମ୍ଭ କରିଛନ୍ତି। କୃଷି ଯନ୍ତ୍ରପାତି ସମ୍ମାନ ବାବଦରେ ରାଜ୍ୟସ୍ତରୀୟ ୩ଟି ପ୍ରଥମ ପୁରସ୍କାର ପାଇଁ ୨ ଲକ୍ଷ ଟଙ୍କା, ୩ଟି ଦ୍ୱିତୀୟ ପୁରସ୍କାର ନିମନ୍ତେ ୧.୫୦ ଲକ୍ଷ ଟଙ୍କା ଓ ୩ଟି ତୃତୀୟ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଜିଲ୍ଲାସ୍ତରରେ ୯୦ଜଣ ଚାଷୀଙ୍କୁ ପୁରସ୍କାର ବାବଦରେ ୧୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏହା କୃଷିର ଉନ୍ନତି ପାଇଁ ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ।

ସେହିପରି ରାଜ୍ୟରେ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ଓ ରିହାତି ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃୃଷି ଉଦ୍ୟୋଗ ଯୋଜନାର ଆରମ୍ଭ କରିଛନ୍ତି କୃଷି ମନ୍ତ୍ରୀ ଶ୍ରୀ ମହାରଥୀ। ଏହି ଯୋଜନାକୁ ସଂପୂର୍ଣ୍ଣ ଅନ୍‌ଲାଇନ, ସହଜ, ସମୟାନୁମୋଦିତ, ସ୍ୱଚ୍ଛ ଓ ଉଦ୍ୟୋଗୀ ଉପଯୋଗୀ କରିବା ପାଇଁ ଏକ େଓ୍ଵବ୍‌ ପୋର୍ଟାଲ୍‌ apicol.nic.in ଓ ମୋବାଇଲ୍‌ ଆପ୍‌କୁ ମଧ୍ୟ ମନ୍ତ୍ରୀ ଆରମ୍ଭ କରିଛନ୍ତି। ଏହା ଫଳରେ ଜଣେ ଉଦ୍ୟୋଗୀ ମୋବାଇଲ୍‌ ଆପ୍‌ ଯୋଗେ କୃଷି ଉଦ୍ୟୋଗ ସ୍ଥାପନ ପାଇଁ ଆବେଦନ କରିପାରିବେ। କେବଳ କୃଷି କ୍ଷେତ୍ର ନୁହେଁ, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପ୍ରାଣୀସଂପଦ ବିକାଶ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ରାଜ୍ୟର ଉତ୍ସାହୀ ଉଦ୍ୟୋଗୀମାନେ ଉଦ୍ୟୋଗ ସ୍ଥାପନ କରିପାରିବେ। ଏଥିପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ। କୃଷିଭିତ୍ତିକ ଉଦ୍ୟୋଗଗୁଡ଼ିକ ଜରିଆରେ ଚାଷୀଙ୍କ ରୋଜଗାର ବୃଦ୍ଧି ଘଟିବା ସହିତ କୃଷି କ୍ଷେତ୍ରରେ ନୂଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ଆଶାପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର