ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ : ୭୮ ଦିନ ଆନ୍ଦୋଳନର ଅନ୍ତ, ଆଜି କାର୍ଯ୍ୟରେ ଯୋଗଦେବେ

କଟକ : ଦୀର୍ଘ ୭୮ ଦିନ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନର ଅନ୍ତ ଘଟିଛି। ଅଗଷ୍ଟ ୨୯ରୁ ଆନ୍ଦୋଳନରେ ଥିବା ଆଇନଜୀବୀମାନେ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବାକୁ ଯାଉଛନ୍ତି। ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି।

ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସି.ଆର୍‌. ଦାଶଙ୍କ ଖଣ୍ଡପୀଠରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଆବେଦନର ଶୁଣାଣି ସମୟରେ ଶ୍ରୀ ପଟ୍ଟନାୟକଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ। ହାବିଲଦାର ପ୍ରସନ୍ନ କୁମାର ବେହେରା, ଦୁଇ ଜଣ କନଷ୍ଟେବଳ ଦିଲ୍ଲୀପ ସାମଲ, ଉଦୟ କୁମାର ଭୂୟାଁ, ହୋମ୍‌ଗାର୍ଡ କିଶୋର ଜେନା ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି କହିଥିଲେ। ଅନ୍ୟପଟେ ଅକ୍ଟୋବର ୨୯ ତାରିଖରେ ହାଇକୋର୍ଟ ପରିସରରେ ଜଣେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଏବଂ ସେଠାରେ ସୃଷ୍ଟି ‌େହାଇଥିବା ପରିସ୍ଥିତି ପାଇଁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା।

ଆଇନଜୀବୀଙ୍କ ସୁରକ୍ଷା ନିମେନ୍ତେ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଥିଲେ। ଯଦି ଏପରି କୌଣସି ପରିସ୍ଥିତି ଉପୁଜେ ତେବେ ସେହି ଗାଇଡଲାଇନ ଅନୁସାରେ ପଦକ୍ଷେପ ନିଆଯିବ। ଆଇନଜୀବୀଙ୍କ ସ୍ବାର୍ଥ, ଏକତା ଓ ନୈତିକତାକୁ ସୁରକ୍ଷା ଦେବା ପାଇଁ ଏହି ଗାଇଡଲାଇନ ହେବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି କମିଟିରେ ରାଜ୍ୟ ଗୃହ ବିଭାଗର ବରିଷ୍ଠ ଅଧିକାରୀ, ବାର୍ ଆସୋସିଏସନର ସଭାପତି ଓ ସଂପାଦକଙ୍କ ସହିତ ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ସ୍ଥାନ ଦିଆଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଭବିଷ୍ୟତରେ ଏପରି ପରିସ୍ଥିତି ଉପୁଜେ ତେବେ କମିଟି ଏହି ପ୍ରସଂଗରେ ନିଷ୍ପତ୍ତି ନେଇ ସମସ୍ୟାର ସମାଧାନ କରିବ। ପୁଲିସ କର୍ମଚାରୀଙ୍କ କ୍ଷମା ପ୍ରାର୍ଥନା ସହିତ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ଅନ୍ୟ ସମସ୍ତ ବାର୍ ଆସୋସିଏସନ୍ ଗୁଡିକୁ ମଧ୍ୟ ଏପରି ନିଷ୍ପତ୍ତି ସଂପର୍କରେ ଅବଗତ କରାଯିବା ସହିତ କାର୍ଯ୍ୟ‌େର ଯୋଗ ଦେବା ପାଇଁ କୁହାଯାଇଛି।

ଆଜି ଅନୁଷ୍ଠିତ ବୈଠକରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ କୁମାର ନାୟକ, କ୍ରିମିନାଲ କୋର୍ଟସ ବାର୍ ଆସୋସିଏସନ୍ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ ପରିଡା, କଟକ ବାର୍ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା ଓ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଅଗଷ୍ଟ ୨୮ରେ ନୂଆବଜାରଠାରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ପୁଲିସ କର୍ମଚାରୀ ଆଇନଜୀବୀଙ୍କୁ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ୨୯ତାରିଖଠାରୁ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁ ହାଇକୋର୍ଟ, ଜିଲ୍ଲା ଅଦାଲତ, କ୍ୟାଟ୍‌, ସ୍ୟାଟ୍‌, ଡିଆରଟି ସହିତ ଅନ୍ୟ ସମସ୍ତ ଅଦାଲତରେ ଅଚଳାବସ୍ଥା ଲାଗି ରହିଥିଲା।

ଏ ସଂପର୍କରେ ହାବିଲଦାର କନ‌େଷ୍ଟବଳ ଓ ସିପାହୀ ମହାଂସଘ ସଭାପତି ସନ୍ତୋଷ ଶତପଥୀ କହିଛନ୍ତି ଯେ ପୁଲିସ-ଆଇନଜୀବୀ ବିବାଦର ସମାଧାନ ହୋଇଛି। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଦୁଇ କନେଷ୍ଟବଳ ଓ ହାବିଲଦାର ଦୁଃଖ ପ୍ରକାଶ କରିବା ସହିତ କ୍ଷମା ପ୍ରର୍ଥନା କରିଛନ୍ତି। ଏଥିପାଇଁ ପୁଲିସ ଡିଜି ଓ ହାଇକୋର୍ଟ ବାର୍ ଆ‌େସାସିଏସନ୍‌କୁ ଧନ୍ୟବାଦ ଜଣାଉଛୁ ବୋଲି ସଭାପତି ଶ୍ରୀ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର