୨୧ରୁ ପୁଣି ବର୍ଷିବ : ଜୁଲାଇ ୨୨ ପାଇଁ ୧୩ ଜିଲ୍ଲାକୁ ସତର୍କ ସୂଚନା, ୨୧ରୁ ୨୩ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୁବନେଶ୍ୱର : ଜୁଲାଇ ୨୧ରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ବହୁ ଉଚ୍ଚତାର ଜୁଆର ଉଠିବାର ସମ୍ଭାବନା ରହିଛି। ତେଣୁ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ।
Sambad is now on WhatsApp
Join and get latest news updates delivered to you via WhatsApp
ଜୁଲାଇ ୨୨ ପାଇଁ ହାଇଆଲର୍ଟ ଜାରି ହୋଇଛି। ବର୍ଷା ପରିମାଣ ବଢ଼ିବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସାଧାରଣ ଲୋକ ଓ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ଶହେ ମିମିରୁ ଅଧିକ ବର୍ଷା ହେବ। ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଲା ୧୯ ଓ ୨୦ ତାରିଖରେ ଓଡ଼ିଶାରେ ସେମିତି ବର୍ଷା ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୨୧ ତାରିଖ ଅପରାହ୍ନ ବେଳକୁ ଆକାଶର ଚିତ୍ର ବଦଳିବ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୩ରେ ଉତ୍ତର ଓଡ଼ିଶା ସମେତ ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ୨୫ ତାରିଖ ପରେ ପାଗରେ ପରିବର୍ତନ ଆସିବ ବୋଲି ଆକଳନ କରାଯାଇଛି।
ଅନ୍ୟପକ୍ଷରେ ଆଜି ଦିନତମାମ ପାଗ ଶୁଖିଲା ରହିଥିଲା। ଅଳ୍ପ କିଛି ସ୍ଥାନରେ ହାଲକା ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୨୦ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୭, ଢ଼େଙ୍କାନାଳରେ ୮, ଝାରସୁଗୁଡ଼ାରେ ୭, ପୁରୀରେ ୬, ସମ୍ବଲପୁର ଓ କୋରାପୁଟରେ ୫ ମିମି ଲେଖାଏ ବର୍ଷା ରେକର୍ଡ କରାଯାଇଛି।