ବିଜେଡି ସହଯୋଗ ଲୋଡ଼ିଲା ମହିଳା କଂଗ୍ରେସ

ଭୁବନେଶ୍ୱର : ୨୦୧୦ରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ମହିଳା ସଂରକ୍ଷଣ ବିଲ୍‌ ଆଣିଥିଲେ। ଏହି ବିଲ୍‌ ଆଇନରେ ପରିଣତ ହେଲେ ବିଧାନସଭା ଏବଂ ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ୨୦୧୪ରେ ନିର୍ବାଚନୀ ଇସ୍ତାହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ବିଲ୍‌କୁ ପାରିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ସତ୍ତ୍ୱେ ଗତ ତିନିବର୍ଷରେ ପ୍ରଧାନମନ୍ତ୍ରୀ ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତିି। ଏଣୁ, ଏହି ପ୍ରସଙ୍ଗରେ ରାଜ୍ୟ ମହିଳା କଂଗ୍ରେସ ବିଜେଡିର ସହଯୋଗ ଲୋଡ଼ିଛି। ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ଏହି ବିଲ୍‌ ଆଗତ କରିବା ପାଇଁ ବିଜେଡି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବ ବୋଲି ଆଶାପ୍ରକାଶ କରିଛି ମହିଳା କଂଗ୍ରେସ। ଆଜି ଏହି ଉଦ୍ଦେଶ୍ୟରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ଇଂ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିବାରୁ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ପ୍ରଣତୀ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ସ୍ୱାଧୀନବାଳା ଦାଶ, ଭାଗ୍ୟଶ୍ରୀ ପ୍ରଧାନ, ଉର୍ବଶୀ ମିଶ୍ର, ଜାନକୀ ମଲ୍ଲିକ, ସିଲି ସେଠୀ, ଶ୍ରୀୟା ମହାନ୍ତି, ସବିତାରାଣୀ ଧୀର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର