ସବୁ କେବଳ ଧୂଆଁବାଣ: ଚିକିତ୍ସା ପାଇଁ ‘ବାର ଦୁଆର ତେର ପିଣ୍ଡା’ ହେବା ପରେ ଶେଷରେ ଆତ୍ମହତ୍ୟାର ପଥ ବାଛିଲେ ଏଡସ୍‌ ଆକ୍ରାନ୍ତ !

ହାଟଡ଼ିହି (କେନ୍ଦୁଝର): ଏଡସ୍‌ ରୋଗ ସଂପର୍କରେ ଜନସଚେତନତା ସୃଷ୍ଟି ଓ ଏଡସ୍‌ ରୋଗୀମାନଙ୍କୁ ହତାଦର ଓ ଅନାଦର ନ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର କରାଯାଉଛି ଏବଂ ଏ ବାବଦରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରାଯାଉଛି। ହେଲେ, ଓଡ଼ିଶାର ଜନୈକ ୨୮ ବର୍ଷ ଯୁବକ ଦୁର୍ଘଟଣାରେ ଆହତ ହୋଇ ଏକ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ବେଳେ ସେ ଏଚ୍‌ଆଇଭି ପଜିଟିଭ୍‌ ରୋଗୀ ଥିବା ଜଣାପଡ଼ିବା ପରେ ଦେଶର ବିଭିନ୍ନ ସରକାରୀ ଡାକ୍ତରଖାନାମାନଙ୍କରୁ ସର୍ବନିମ୍ନ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ବାର ଦୁଆର ତେର ପିଣ୍ଡା ହେବା ପରେ ଶେଷରେ ଅନୋନ୍ୟପାୟ ଅବସ୍ଥାରେ ଗତ ମଙ୍ଗଳବାର ଆତ୍ମହତ୍ୟା କରିବା ଘଟଣା ଏବେ କେବଳ ଓଡ଼ିଶା କାହିଁକି ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, କେନ୍ଦୁଝର ଜିଲ୍ଲା ହାଟଡ଼ିହି ଅଞ୍ଚଳର ଜନୈକ ୨୮ ବର୍ଷ ବୟସ୍କ ଯୁବକ ଦାଦନ ଖଟିବାକୁ ଗୁଜୁରାଟର ସୁରଟକୁ ଯାଇଥିଲେ। ପରେ ସୁରଟରୁ ପୁଡ଼ୁଚେରି ଯାଇ ସେଠାରେ ଏକ କମାରଶାଳରେ କମାର ଭାବେ କାର୍ଯ୍ୟ କରୁଥିଲେ। ପୁଡ଼ୁଚେରିରେ ଅବସ୍ଥାନ କାଳରେ ସେ ଗତ ଜାନୁଆରି ମାସରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ସେଠାକାର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗିଯିବା ସହ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିଲା। ହେଲେ, ଅସ୍ତ୍ରୋପଚାର ପୂର୍ବରୁ ସେଠାରେ କରାଯାଇଥିବା ତାଙ୍କର ରକ୍ତ ପରୀକ୍ଷା ରିପୋର୍ଟରୁ ସେ ଜଣେ ଏଚ୍‌ଆଇଭି ପଜିଟିଭ୍‌ ରୋଗୀ ଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଏହାପରେ ସେଠାର ଡାକ୍ତରମାନେ ଆଉ ତାଙ୍କର କୌଣସି ପ୍ରକାର ଚିକିତ୍ସା ନକରି ତାଙ୍କୁ ସିଧା କଟକର ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ରେଫର କରି ଦେଇଥିଲେ।

ଏହାପରେ ବିନା ଚିକିତ୍ସାରେ ବହୁ କଷ୍ଟ ଓ ଯନ୍ତ୍ରଣା ସହ୍ୟ କରି ଯୁବକ ଜଣକ ଆସି ପହଞ୍ଚିଥିଲେ କଟକର ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ। ଏଠାରେ ମଧ୍ୟ ଡାକ୍ତରମାନେ ତାଙ୍କୁ ଏଚ୍‌ଆଇଭି ପଜିଟିଭ୍‌  ବୋଲି ଜାଣିବା ପରେ, ଯୁବକଙ୍କର କୌଣସି ପ୍ରକାର ଚିକିତ୍ସା କିମ୍ବା ଅସ୍ତ୍ରୋପଚାର ନ କରି କେବଳ ତାଙ୍କ ଘା’ରେ ବ୍ୟାଣ୍ଡେଜ୍‌ ଭିଡ଼ିଦେଇ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦେଇଥିଲେ। ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରୁ ବିନା ଚିକିତ୍ସାରେ ଫେରିବା ପରେ ଯୁବକଙ୍କ ବାପା ତାଙ୍କୁ ନେଇ ଯାଇ ପହଞ୍ଚିଥିଲେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ହେଲେ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ପାଇଁ ଚିକିତ୍ସା ସୁବିଧା ନଥିବା ଦର୍ଶାଇ ତାଙ୍କୁ ଡାକ୍ତରମାନେ ରେଫର କରି ଦେଇଥିଲେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ।

ଏହାପରେ ଯୁବକ ଜଣକ ଯାଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ହେଲେ, ସେଠାରେ ତାଙ୍କୁ କେବଳ ତାଙ୍କର ଏଚ୍‌ଆଇଭି ପଜିଟିଭ୍‌ ରୋଗ ପାଇଁ କିଛି ଔଷଧ ମିଳିଥିଲା ସିନା ହେଲେ ତାଙ୍କର ଭଙ୍ଗା ଗୋଡ଼ କିମ୍ବା ହାତର ଅସ୍ତ୍ରୋପଚାର କରାଯାଇ ନଥିଲା।

ଏହାପରେ ଯୁବକ ଜଣକ ଡାକ୍ତରଖାନାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେବା ଅପେକ୍ଷା ବରଂ ନିଜ ଘରକୁ ଫେରି ଆସିବାକୁ ପସନ୍ଦ କରିଥିଲେ ଏବଂ ଘରକୁ ଫେରି ଆସିଥିଲେ। ହେଲେ, ନିଜ ଘରେ ରହିଥିବା ବେଳେ ଗ୍ରାମବାସୀମାନେ ଯେତେବେଳେ ଜାଣିଲେ ଯେ ସେ ଜଣେ ଏଡସ୍‌ ଆକ୍ରାନ୍ତ ସେତେବେଳେ ତାଙ୍କୁ ଦୂରଦୂର୍‌ ମାର୍‌ମାର୍‌ କରିବା ଆରମ୍ଭ କରିଦେଇଥିଲେ। ଏପରିକି ଗ୍ରାମର ସର୍ବସାଧାରଣ ସ୍ଥାନ ଓ ଗାଁ ପୋଖରୀକୁ ବ୍ୟବହାର ନକରିବା ପାଇଁ ତାଙ୍କ ଉପରେ ନିଷେଧାଦେଶ ସୁଦ୍ଧା ଜାରି କରିଥିଲେ। ଏସବୁ ନେଇ ଘୋର ମାନସିକ ଅଶାନ୍ତି ଭିତରେ ଥିଲେ ଯୁବକ ଜଣକ।

ଗୋଟିଏ ପଟେ ବିନା ଚିକିତ୍ସାରେ ଅସହ୍ୟ ଯନ୍ତ୍ରଣା ଓ କଷ୍ଟ ଏବଂ ଅନ୍ୟପଟେ ଦୁର୍ବିସହ ମାନସିକ ଅଶାନ୍ତିକୁ ସାମନା କରିବାରେ ଅସମର୍ଥ ହୋଇ ଶେଷରେ ଯୁବକ ଜଣକ ଗତ ମଙ୍ଗଳବାର ପ୍ରତ୍ୟୁଷରେ ଗାଁ ପୋଖରୀ କୂଳରେ ଥିବା ଗଛରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ୍‌ ଯୁବକଙ୍କ ମୃତଦେହକୁ ଜବତ କରି ଏକ ଅପମୁତ୍ୟୁ ମାମଲା ଆଗତ କରିଥିବା ବେଳେ ଯୁବକଙ୍କ ବାପା ତାଙ୍କ ଆତ୍ମହତ୍ୟା ପଛରେ ରହିଥିବା ପୂରା କାହାଣୀ ସଂପର୍କରେ ସବିଶେଷ ଉଲ୍ଲେଖ କରି ଥାନାରେ ଏକ ଲିଖିତ ଅଭିଯୋଗ ଆଗତ କରିଛନ୍ତି। ତେବେ, ପୁଲିସ୍‌ ଏମାମଲାରେ ତଦନ୍ତ କେଉଁଠୁ ଏବଂ କିପରି ଆରମ୍ଭ କରିବ, ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛି।

ସମ୍ବନ୍ଧିତ ଖବର