ମେ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷା ଫଳ

କଟକ : ମେ ମାସ ପ୍ରଥମ ସପ୍ତାହରେ ହାଇସ୍କୁଲ ସାର୍ଟିଫି‌େକଟ୍ ପରୀକ୍ଷା (ମାଟ୍ରିକ୍‌) ସମେତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥି ପାଇଁ ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ୍‌ ୫ତାରିଖରୁ ଖାତା ମୂଲ୍ୟାୟନ ସରିଥିବା ବେଳେ ଏବେ ରାଜ୍ୟ ବାହାର ଏକ କମ୍ପ୍ୟୁଟର ଫାର୍ମରେ ମୂଲ୍ୟାୟନ ପରବର୍ତ୍ତୀ କାମ ଶେଷ ହୋଇ ଆସିଥିବା ସୂଚନା ମିଳିଛି।

ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ ୨୪ରୁ ଆରମ୍ଭ ହୋଇ ଏପ୍ରିଲ୍ ୫ରେ‌ ଶେଷ ହୋଇଥିଲା। ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ବରିତ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନ୍‌ଲାଇନରେ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ମାର୍କ ପୋ‌ଷ୍ଟିଂ ହୋଇଥିଲା। ପରେ ଏହାର ଯାଞ୍ଚ କରାଯାଇ କମ୍ପ୍ୟୁଟର ଫାର୍ମକୁ ପଠାଯାଇଥିଲା। ଦୀର୍ଘ ଉତ୍ତରମୂଳକ ଖାତା ମୂଲ୍ୟାୟନ ରାଜ୍ୟର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଚାଲିଥିବା ବେଳେ ରାଜ୍ୟ ବାହରେ ଏକ ନିର୍ଦ୍ଦି‌ଷ୍ଟ କମ୍ପ୍ୟୁଟର ଫାର୍ମରେ ଓଏମ୍‌ଆର୍‌ ମୂଲ୍ୟାୟନ ଚାଲିଥିଲା। ଏବେ ଚୂଡାନ୍ତ ଯାଞ୍ଚ ଚାଲିଛି। ଏବେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ରାଜ୍ୟ ବାହାର ଫର୍ମରେ ରହି ଚୂଡାନ୍ତ ପର୍ଯ୍ୟାୟ ଯାଞ୍ଚ କରୁଛନ୍ତି। ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ଫେରିବା ପରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ତାରିଖ ଘୋଷଣା କରାଯିବ। ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିବା ଅନୁସାରେ, ପରୀକ୍ଷା ନିୟନ୍ତ୍ରକ ପାଖାପାଖି ୧୦ରୁ ୧୨ଦିନ ମଧ୍ୟରେ କମ୍ପ୍ୟୁଟର ଫାର୍ମରେ ଚୁଡାନ୍ତ ପର୍ଯ୍ୟାୟ ଯାଞ୍ଚ କରନ୍ତି। ଏ ସଂକ୍ରାନ୍ତରେ ବୋର୍ଡ ସଂପାଦକ ରମାଶିଷ ହାଜରା କହିଛନ୍ତି, ‌ଏବେ ପ୍ରୋସେସିଂ ଚାଲିଛି। ସମସ୍ତ ପ୍ରୋସେସିଂ ସରିବା ପରେ ଫଳ ପ୍ରକାଶନ ତାରିଖ ଘୋଷଣା କରାଯିବ। ମେ’ ମାସରେ ଫଳ ପ୍ରକାଶ ପାଇବ ବୋଲି ସଂପାଦକ ଶ୍ରୀ ହାଜରା ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇଥିବା ମାଟ୍ରିକ୍, ମଧୢମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ମାର୍ଚ ୮ରେ ଶେଷ ହୋଇଥିଲା। ଏବର୍ଷ ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ମାଟ୍ରିକ୍ ପାଇଁ ୨୮୩୦ଟି, ମଧ୍ୟମା ପାଇଁ ୪୪ଟି ଓ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ୭୯ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ପ୍ରଶ୍ନପତ୍ର ରଖିବା ପାଇଁ ୩୦୪ଟି ନୋଡାଲ ସେଣ୍ଟର ହୋଇଥିଲା।

ସମ୍ବନ୍ଧିତ ଖବର