ଚିଲିକାରେ ବିମାନବନ୍ଦର ନିର୍ମାଣକୁ ବିରୋଧ କରିପାରନ୍ତି ରାଜ୍ୟ ସରକାର, କାହିଁକି ଜାଣନ୍ତୁ

ଭୁବନେଶ୍ୱର : ଏସିଆର ବୃହତ୍ତମ ଲୁଣି ହ୍ରଦ ଚିଲିକାରେ ଏକ ଜଳ-ଏୟାରପୋର୍ଟ ନିର୍ମାଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଏକ ବିଶେଷଜ୍ଞ ଦଳ ଇତି ମଧ୍ୟରେ ଚିଲିକା ବୁଲି ଦେଖିଛନ୍ତି । ଏହିଦଳ ଗତ ୧୫ ଓ ୧୬ ତାରିଖରେ ସାତପଡା ଓ ବାଲୁଗାଁ ଅଂଚଳରେ ଚିଲିକାକୁ ଦେଖିଛନ୍ତି । ଏପରି ଏୟାରପୋର୍ଟ ନିର୍ମାଣ ହେଲେ ତାହା ରାଜ୍ୟରେ ଏଧରଣର ପ୍ରଥମ ହେବ । ଏହି ବିମାନବନ୍ଦରରେ ଜଳଭାଗରେ ଓହ୍ଲାଇପାରୁଥିବା ବିମାନ ଓହ୍ଲାଇପାରିବ । ଏହାକୁ ନିର୍ମାଣ ପାଇଁ ସ୍ପାଇଶଜେଟ୍‌ କୁ ବଛାଯାଇଛି । ଏ ନେଇ ଏଏଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ରାଜ୍ୟସରକାର ଏହି ପ୍ରସ୍ତାବକୁ ବିରୋଧ କରିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି । ଏହାର କାରଣ ହେଉଛି ଚିଲିକାରେ ବିମାନବନ୍ଦର ନିର୍ମାଣ ହେଲେ ତାହା ଏହି ଲୁଣି ହ୍ରଦର ପରିବେଶକୁ ନଷ୍ଟ କରିବ । ଆହୁରି ମଧ୍ୟ ଚିଲିକାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଆସନ୍ତି । ବିମାନ ଚଳାଚଳ ହେଲେ ପକ୍ଷୀମାନେ ଏଠାକୁ ଆସିବା ବନ୍ଦ କରିବାର ଆଶଙ୍କା ରହିଛି । ପୁଣି ଚିଲିକାରେ ରହୁଥିବା ଡଲଫିନମାନଙ୍କ ବାସସ୍ଥଳୀ ମଧ୍ୟ ପ୍ରଭାବିତ ହେବ । ଏସବୁ କାରଣରୁ ଓଡ଼ିଶା ସରକାର ଏହାକୁ ବିରୋଧ କରିପାରନ୍ତି ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର