ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ

ଭୁବନେଶ୍ୱର : ବିଧାନ ପରିଷଦ କିପରି ଓ କେମିତି ଗଠନ ହେବ, ତାହାକୁ ନେଇ ସାଢ଼େ ତିନି ବର୍ଷ ହେଲା ସରକାର ନମୁନା ଖୋଜୁଥିଲେ। ଏବେ ମିଳିଛି। ଏଥି ପାଇଁ ଗଠିତ କମିଟି ୪ଟି ରାଜ୍ୟ ବୁଲିଲା ପରେ ତେଲେଙ୍ଗାନା ଢାଞ୍ଚା ମନକୁ ପାଇଛି। ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ ଗଠନ ପାଇଁ ସରକାର ସଂକଳ୍ପ ଆଣିବାକୁ କମିଟି ସରକାରଙ୍କୁ ରିପୋର୍ଟ ଦେବ। ଆଜି ଏ ନେଇ କମିଟିର ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ନୃସିଂହ ସାହୁ ସୂଚନା ଦେଲା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ନିର୍ବାଚନ ଆସୁଥିବାରୁ ଅସନ୍ତୁଷ୍ଟଙ୍କୁ ଥଇଥାନ କରିବା ପାଇଁ ଏହାକୁ ଲଲିପପ୍‌ ବୋଲି କହିଛନ୍ତି ବିରୋଧୀ।

୨୦୧୫ ମସିହାରେ ବିଧାନ ପରିଷଦ ଗଠନ ନେଇ ସରକାର ପକ୍ରିୟା ଆରମ୍ଭ କରିଥିଲେ। ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଜେଡିରୁ ପ୍ରମିଳା ମଲ୍ଲିକ ଓ ମନୋହର ରାନ୍ଧାରୀ, କଂଗ୍ରେସରୁ ଭୁଜବଳ ମାଝୀ ଓ ବିଜେପିରୁ ନୀତିଶ ଗଙ୍ଗଦେବ ସଦସ୍ୟ ରହିଥିଲେ। ତେବେ କମିଟି ଗଠନ ପୂର୍ବରୁ ସବୁ ଦଳ ସହ ପରାମର୍ଶ କରାଯାଇ ନ ଥିବାରୁ କଂଗ୍ରେସ ଓ ବିଜେପି ବିଧାୟକ ଏଥିରୁ ଓହରିଯାଇଥିଲେ। ବିଜେଡିର ତିନି ସଦସ୍ୟଙ୍କୁ ନେଇ କମିଟି ୨୦୧୫ ମସିହା ଫେବ୍ରୁଆରି ମାସ ପ୍ରଥମ ସପ୍ତାହରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯାଇଥିଲେ। ତେବେ ଏହି ଗସ୍ତ ଫଳପ୍ରଦ ହେଲା ନାହିଁ। କାରଣ ଦୁଇ ରାଜ୍ୟ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରଥମେ ଗଠନ ହୋଇଥିଲା ବିଧାନ ପରିଷଦ ଓ ପରେ ଗଠନ ହେଲା ବିଧାନସଭା। ତେଣୁ ଏହି ଦୁଇ ରାଜ୍ୟର ଢ଼ାଞ୍ଚା ଓଡ଼ିଶାରେ କି କାମରେ ଲାଗିବ, ତାହା କମିଟି ସଦସ୍ୟମାନେ ବୁଝିପାରିଲେ ନାହିଁ। ଯେଉଁ ରାଜ୍ୟରେ ବିଧାନସଭା ପରେ ବିଧାନ ପରିଷଦ ଗଠନ କରାଯାଇଛି, ସେମିତି ଦୁଇଟି ରାଜ୍ୟକୁ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଲେ।

ଏହା ପରେ ପାଖାପାଖି ସାଢ଼େ ୩ ବର୍ଷ ସରକାର ନିରବ ରହିଲେ। ହଠାତ୍‌ ଗତ ମାସରେ ଆଉ ଦୁଇ ରାଜ୍ୟ ବିହାର ଓ ତେଲେଙ୍ଗାନା ଯାଇ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ଅନୁଧ୍ୟାନ କରିବାକୁ ସରକାର ଅନୁମତି ଦେଲେ। ବିରୋଧୀ ସଦସ୍ୟଙ୍କ ବିନା ଶ୍ରୀ ସାହୁଙ୍କ ନେତୃତ୍ୱରେ ଶାସକ ଦଳର ଅନ୍ୟ ଦୁଇ ସଭ୍ୟ ଓ ଅଧିକାରୀମାନେ ଦୁଇ ରାଜ୍ୟ ଯାଇ ସେଠାକାର ବିଧାନ ପରିଷଦର ଅଧ୍ୟକ୍ଷ, ଅଧିକାରୀ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ଫେରିଛନ୍ତି।

ଅଧ୍ୟକ୍ଷ ଶ୍ରୀ ସାହୁ ଆଜି ଗଣମାଧ୍ୟମକୁ କହିଛନ୍ତି, କମିଟି ୪ଟି ରାଜ୍ୟରେ ତା’ର ଗସ୍ତ କାର୍ଯ୍ୟକ୍ରମ ଶେଷ କରିଛି। ତେଲେଙ୍ଗାନାରେ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ଯେପରି ରିଜୋଲ୍ୟୁସନ୍‌ ଆସିଥିଲା ଓ ଯେପରି ଗୃହୀତ ହୋଇଥିଲା, ତାହାକୁ ଆମେ ଭଲ ଭାବେ ଅନୁଧ୍ୟାନ କଲୁ। ଠିକ୍‌ ସେହିପରି ଭାବେ ଓଡ଼ିଶାରେ ରିଜୋଲ୍ୟୁସନ୍‌ ଆଣିବାକୁ କମିଟି ମତ ଦେବ। ଏ ନେଇ ଖୁବ୍‌ ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ।

ନିର୍ବାଚନର କିଛି ମାସରୁ ଆଗରୁ ବିଧାନ ପରିଷଦ ଗଠନ ନେଇ ଚାଲିଥିବା ତତ୍ପରତାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯଦିଓ ବିଧାନ ପରିଷଦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଏହି ପ୍ରକ୍ରିୟା ବହୁ ବିଳମ୍ବ କରାଯାଇଛି। ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ସରକାରୀ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସ୍ପଷ୍ଟ ହୋଇଛି। ଶାସକ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିଚାଲିଛି। ଏହା ସେମାନଙ୍କ ପାଇଁ ଲଲିପପ୍‌ ସଦୃଶ।

ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି। ବର୍ତ୍ତମାନ ୭ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାର, ଜାମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ରହିଛି। ଆସାମରେ ବିଧାନ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଚାଲିଛି। ନିୟମ ଅନୁଯାୟୀ ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶ ଆସନ ବିଧାନ ପରିଷଦରେ ରହିବ। ଏହି ହିସାବରେ ପ୍ରସ୍ତାବିତ ଓଡ଼ିଶା ବିଧାନ ପରିଷଦରେ ସଦସ୍ୟ ସଂଖ୍ୟା ୪୯ରେ ସୀମିତ ରହିବ। ପରୋକ୍ଷ ନିର୍ବାଚନ ଓ ମନୋନୟନ ପଦ୍ଧତ୍ତିରେ ଏହି ଆସନଗୁଡ଼ିକ ପୂରଣ ହେବ। ପରିଷଦ ଏକ ସ୍ଥାୟୀ ବ୍ୟବସ୍ଥାପକ ସଭା। ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି।

ସମ୍ବନ୍ଧିତ ଖବର