ସଂସଦୀୟ କମିଟିରେ ଓଡ଼ିଶା ସାଂସଦ : ପିନାକୀ ସହରାଞ୍ଚଳ ବିକାଶ କମିଟିର ଅଧ୍ୟକ୍ଷ, ସୌମ୍ୟରଞ୍ଜନ ପ୍ରତିରକ୍ଷା କମିଟିରେ ସଦସ୍ୟ

ନୂଆଦିଲ୍ଲୀ: ବିଭିନ୍ନ ସଂସଦୀୟ କମିଟିରେ ଓଡ଼ିଶାର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ସ୍ଥାନ ପାଇଛନ୍ତି। ଲୋକସଭା ବୁଲେଟିନ୍‌ର ତଥ୍ୟ ଅନୁସାରେ, ପି ଚିଦମ୍ବରମ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୩୦ ଜଣିଆ ସ୍ୱରାଷ୍ଟ୍ର ବ୍ୟାପାର କମିଟିରେ ଲୋକସଭାରେ ବିଜେଡି ସାଂସଦ ଡଃ ପ୍ରସନ୍ନ କୁମାର ପାଟଶାଣୀ ଓ ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। ଡଃ ସତ୍ୟନାରାୟଣ ଜଟିୟାଙ୍କ ଅଧ୍ୟକ୍ଷତାରେ ଗଠିତ ୩୦ ଜଣିଆ ମାନବ ସମ୍ବଳ ବିକାଶ କମିଟିରେ ଲୋକସଭା ସାଂସଦ ଡଃ ପ୍ରଭାସ କୁମାର ସିଂହ ଓ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ରାମଚନ୍ଦ୍ର ପ୍ରସାଦ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୨୩ ଜଣିଆ ଶିଳ୍ପ କମିଟିରେ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ ବିଜ୍ଞାନ ପ୍ରଯୁକ୍ତି ଓ ପର୍ଯ୍ୟାବରଣ ଏବଂ ଜଙ୍ଗଲ କମିଟିରେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ କୁମାର ଆଚାର୍ଯ୍ୟ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। ଏହି କମିଟିରେ ମନୋନୀତ ରାଜ୍ୟସଭା ସଦସ୍ୟ ଡଃ ରଘୁନାଥ ମହାପାତ୍ରଙ୍କୁ ମଧ୍ୟ ସଦସ୍ୟ ରୂପେ ସ୍ଥାନ ଦିଆଯାଇଛି। ଡେରିକ୍‌ ଓ’ବ୍ରେନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର କୁମାର ସ୍ୱାଇଁଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ପ୍ରଫେସର ରାମଗୋପାଳ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିରେ ଲୋକସଭା ସାଂସଦ ରୀତା ତରାଇଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ହୁକୁମ୍‌ଦେବ ନାରାୟଣ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ୩୦ ଜଣିଆ କୃଷି କମିଟିରେ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି।

କଲ୍‌ରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ ପ୍ରତିରକ୍ଷା କମିଟିରେ ଲୋକସଭା ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଓ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଡକ୍ଟର ହରିବାବୁ କାମ୍‌ଭାମ୍‌ପତ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଶକ୍ତି କମିଟିରେ ଲୋକସଭା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ଓ ଡଃ ଶଶୀ ଥରୁରଙ୍କ ନେତୃତ୍ୱାଧୀନ ବୈଦେଶିକ ବ୍ୟାପାର କମିଟିରେ ଲୋକସଭା ସାଂସଦ ଅର୍କକେଶରୀ ଦେଓ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଡଃ କିରୀଟ ସୋମାୟାଙ୍କ ଅଧ୍ୟକ୍ଷତାରେ ଗଠିତ ଶ୍ରମ କମିଟିରେ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା, ପ୍ରହଲ୍ଲାଦ ଭେଙ୍କଟେଶ ଯୋଶିଙ୍କ ନେତୃତ୍ୱାଧୀନ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ କମିଟିରେ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏହି କମିଟିରେ ରାଜ୍ୟସଭାରୁ ଏନ୍‌ ଭାସ୍କର ରାଓ ମଧ୍ୟ ମନୋନୀତ ହୋଇଛନ୍ତି। ସୁଦୀପ ବନ୍ଦୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ରେଳ କମିଟିରେ ଲୋକସଭା ସଦସ୍ୟ ବଳଭଦ୍ର ମାଝି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ପିନାକୀ ମିଶ୍ରଙ୍କୁ ସହରାଞ୍ଚଳ ବିକାଶ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏହି କମିଟିରେ ୩୧ ସଦସ୍ୟ ରହିଛନ୍ତି। ରାଜୀବ ପ୍ରତାପ ରୁଡିଙ୍କ ଅଧ୍ୟକ୍ଷତାରେ ଗଠିତ ଜଳସମ୍ପଦ କମିଟିରେ ଲୋକସଭା ସଦସ୍ୟ ସିଦ୍ଧାନ୍ତ ମହାପାତ୍ରଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ୨୯ ଜଣିଆ ସାର ଓ ରସାୟନ କମିଟିରେ ଲୋକସଭା ସଦସ୍ୟ ଡାକ୍ତର କୁଳମଣି ସାମଲଙ୍କୁ ମନୋନୀତ କରାଯାଇଛି। ଡଃ ପୁନୁସ୍ୱାମୀ ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଗ୍ରାମୀଣ ବିକାଶ କମିଟିରେ ଲୋକସଭା ସାଂସଦ ଲଡୁକିଶୋର ସ୍ୱାଇଁ ଓ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ପ୍ରଫେସର ଚିନ୍ତାମଣି ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କୋଇଲା ଓ ଇସ୍ପାତ କମିଟିରେ ଲୋକସଭା ସାଂସଦ ତଥାଗତ ଶତପଥୀ, ରାଜ୍ୟସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳ ଓ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି। ସେହିଭଳି ରମେଶ ବ୍ୟାସଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ କମିଟିରେ ଲୋକସଭା ସାଂସଦ ଝିନ ହିକକା ଓ ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ସଦସ୍ୟ ରୂପେ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର