ବେଦାନ୍ତକୁ ବକ୍ସାଇଟ୍‌ ଯୋଗାଣ ପାଇଁ ବାଟ ଫିଟିଲା

ଭୁବନେଶ୍ୱର : ବକ୍ସାଇଟ୍‌ ଅଭାବରୁ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନିର ଆଲୁମିନିୟମ ବିଶୋଧନାଗାର ନାନା ସମସ୍ୟା ଦେଇ ଗତି କରୁଛି। ଏହାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ଗଠିତ କମିଟି ଯେଉଁ ସୁପାରିସ କରିଥିଲା, ଆଜି କ୍ୟାବିନେଟ୍‌ ତା’ ଉପରେ ମୋହର ମାରିଛି। ଫଳରେ ବେଦାନ୍ତକୁ ବକ୍ସାଇଟ୍‌ ଯୋଗାଣ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି କୁହାଯାଉଛି।

ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଯେ ୨୦୧୪ ସେପ୍ଟେମ୍ବର ମାସରେ ରାଜ୍ୟରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଲୁହା, କ୍ରୋମାଇଟ୍‌ ଆଦି ବିଭିନ୍ନ ଖଣିଜ ପଦାର୍ଥ ଦୀର୍ଘମିଆଦି ସଂଯୋଗ ଭିତ୍ତିରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ନୀତି ପ୍ରଣୟନ କରିଛନ୍ତି। କିନ୍ତୁ ଏଥିରେ ବକ୍ସାଇଟ୍‌ ଖଣିଜ ଦ୍ରବ୍ୟକୁ ସାମିଲ କରାଯାଇନଥିଲା। ବର୍ତମାନ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ବକ୍ସାଇଟ୍‌ ଉତ୍ପାଦନ ଆରମ୍ଭ କରିଛି। ଆଜି ବକ୍ସାଇଟ୍‌ ନିମନ୍ତେ ଦୀର୍ଘମିଆଦି ସଂଯୋଗ ଭିତ୍ତିରେ ଯୋଗାଣ ନୀତିରେ ଆସିଥିବା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ଏହା ଫଳରେ ଦୀର୍ଘମିଆଦି ସଂଯୋଗ ଭିତ୍ତିରେ ୭୦ ପ୍ରତିଶତ ଯୋଗାଇ ଦିଆଯିବ। ଅବଶିଷ୍ଟ ୩୦ ପ୍ରତିଶତ ବିକ୍ରିଯୋଗ୍ୟ ବକ୍ସାଇଟ୍‌ ଜାତୀୟ ଇ-ନିଲାମ ମାଧ୍ୟମରେ ବିକ୍ରି କରାଯିବ। ବକ୍ସାଇଟ୍‌ର ଉତ୍ପାଦନ ଖର୍ଚ ସହିତ ୫୦ ଭାଗ ଲାଭାଂଶ ଯୋଡ଼ାଯାଇ ଜାତୀୟ ଇ-ନିଲାମ ପାଇଁ ମୂଳ ମୂଲ୍ୟ ସ୍ଥିର ହେବ। ଇ-ନିଲାମରେ ଯେତେ ମୂଲ୍ୟରେ ବକ୍ସାଇଟ୍‌ ବିକ୍ରି ହେବ, ତା’ର ହାରାହାରି ମୂଲ୍ୟ ଦୀର୍ଘମିଆଦି ସଂଯୋଗ ଭିତ୍ତିରେ ଯୋଗାଣ ପାଇଁ ମୂଲ୍ୟ ଚୂଡ଼ାନ୍ତ କରାଯିବ।

ଦୀର୍ଘମିଆଦି ସଂଯୋଗ ଭିତ୍ତିରେ ବେଦାନ୍ତ କମ୍ପାନିକୁ ବକ୍ସାଇଟ୍‌ ଯୋଗାଇଦେବାର ସମ୍ଭାବନା ସୃଷ୍ଟି ହୋଇଛି। ମୁଖ୍ୟ ସଚିବ କହିଲେ, ବର୍ତମାନ ଓଏମ୍‌ସି ବକ୍ସାଇଟ୍‌ ଖଣିରୁ ଉତ୍ପାଦନ ଆରମ୍ଭ କରିଛି। ଏଣୁ, ବେଦାନ୍ତ କମ୍ପାନୀକୁ ବକ୍ସାଇଟ୍‌ ଯୋଗାଣ ରାସ୍ତା ସୁଗମ ହୋଇଥିଲେ ବି ସଂପୂର୍ଣ୍ଣ ରୂପେ ତା’ର ଅଭାବ ମେଣ୍ଟିବାର ସମ୍ଭାବନା କମ୍‌ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ୧୯୬୮.୮୬୨ ନିୟୁତ ଟନ୍‌ ବକ୍ସାଇଟ୍‌ ମହଜୁଦ୍‌ ଅଛି। ସେଥିମଧ୍ୟରୁ ବାର୍ଷିକ ମାତ୍ର ୯.୨ ନିୟୁତ ଟନ୍‌ ବକ୍ସାଇଟ୍‌ ଉତ୍ପାଦନ ହେଉଛି। ତେବେ କୋରାପୁଟ ଜିଲ୍ଲା କୋଡ଼ିଙ୍ଗାମାଲି ଖଣିର ଷ୍ଟେଜ୍‌-୨ ଅବସ୍ଥାରେ ମୋଟ ୮୨ ନିୟୁତ ଟନ୍‌ ବକ୍ସାଇଟ୍‌ ଗଚ୍ଛିତ ରହିଥିବା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ରାଜକୁମାର ଶର୍ମା କହିଥିଲେ।

ସମ୍ବନ୍ଧିତ ଖବର