ଓଡ଼ିଶା ନିଗମ କର୍ମଚାରୀ ମହାସଂଘର ଆହ୍ଵାନ : ସର୍ବନିମ୍ନ ପେନସନ ୭୫୦୦ ଟଙ୍କା କରାଯାଉ

ଭୁବନେଶ୍ୱର : ବିଭିନ୍ନ ନିଗମ ଓ ଘରୋଇ କମ୍ପାନିଗୁଡ଼ିକରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୭୫୦୦ଟଙ୍କା ପେନସନ୍‌ ପ୍ରଦାନ କରିବାକୁ ଦାବି କରିଛି ଓଡ଼ିଶା ନିଗମ କର୍ମଚାରୀ ମହାସଂଘ। ଆଜି ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ନଟବର ଆଚାର୍ଯ୍ୟ କହିଲେ, ସର୍ବଭାରୀତୟ ଇପିଏସ୍‌(ଭବିଷ୍ୟନିଧି) ପେନ୍‌ସନ୍‌ ସଂଘର୍ଷ ସମିତିର ଆହ୍ଵାନରେ ରାଜ୍ୟରେ ଗତ ୧ତାରିଖରେ ଏଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବନିମ୍ନ ପେନସନ୍‌ ୭୫୦୦ଟଙ୍କା ସହିତ ଟିଆଇ ଓ ମାଗଣା ସ୍ୱାସ୍ଥ୍ୟ ବୀମା ପାଇଁ ଦାବି ହୋଇଥିଲା।

ଦେଶରେ ଏବେ ୬୦ଲକ୍ଷ ପେନ୍‌ସନ୍‌ ଉପଭୋକ୍ତାଙ୍କ ମଧ୍ୟରୁ ୪୫ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ହଜାରେ ଟଙ୍କାରୁ ୨୬୦୦ଟଙ୍କା ମଧ୍ୟରେ ପେନ୍‌ସନ୍‌ ପାଉଛନ୍ତି। ଭବିଷ୍ୟନିଧି ସଂଗଠନରେ ପ୍ରାୟ ୩ଲକ୍ଷ କୋଟି ଟଙ୍କା ଗଚ୍ଛିତ ରହିଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏହି ଅର୍ଥରାଶି କାର୍ଯ୍ୟରତ ଓ କାର୍ଯ୍ୟରୁ ଅବସର ନେଇଥିବା କର୍ମଚାରୀଙ୍କ ସଞ୍ଚିତ ଅର୍ଥ। ସେହିପରି ରାଜ୍ୟର ବିଭିନ୍ନ ନିଗମ ଓ ଘରୋଇ କମ୍ପାନିଗୁଡ଼ିକରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୨୫ହଜାର। ଏଥିରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ୨୦ହଜାରରୁ ଅଧିକ। ସର୍ବଭାରତୀୟ ପେନ୍‌ସନ୍‌ ସଂଘର୍ଷ ସମିତି ଗ୍ରହଣ କରିଥିବା ଦାବିକୁ ରାଜ୍ୟ ସମସ୍ତ ଭବିଷ୍ୟନିଧି ଉପଭୋକ୍ତା ଗ୍ରହଣ କରିଛନ୍ତି। ଏଥିପାଇଁ ରାଜ୍ୟ ଭବିଷ୍ୟନିଧି ଆଞ୍ଚଳିକ କମିସନଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯିବ। ଯଦି କେନ୍ଦ୍ର ସରକାର ଇପିଏସ୍‌ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି ଅବହେଳା କରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମହାସଚିବ ସରୋଜକାନ୍ତ ମଲ୍ଲିକ, ଧ୍ରୁବ ଚରଣ ସାହୁ, ଅଶୋକ ମହାନ୍ତି, ପ୍ରଫୁଲ୍ଲ ଦାସ, ବାଚସ୍ପତି ତ୍ରିପାଠୀ, ପ୍ରଭାତ କୁମାର ପରିଡ଼ା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର