ଡାଟା ବ୍ୟବହାରରେ ଦେଶରେ ଓଡ଼ିଶା ୧ ନମ୍ବର : ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲିଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ବିଜିନେସ୍‌ ଲିଡର ମିଟରେ ଯୋଗ ଦେଇ ଓଡ଼ିଶା ସହ ତାଙ୍କର ଓ ତାଙ୍କ କମ୍ପାନି ଜିଓର ସଂପର୍କ ନେଇ ଅନେକ ନୂଆ ତଥ୍ୟ ଉପସ୍ଥାପିତ କରିଛନ୍ତି।

ମୁକେଶ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଓଡ଼ିଶାର ୪୩,୦୦ ଗାଁରେ ଜିଓ ଫୋନ୍‌ ଓ ନେଟ୍‌ଓ୍ଵାର୍କ ଉପଲବ୍ଧ। ଏହା ସେଠାକାର ଲୋକଙ୍କ ଜୀବନଧାରାରେ ଆଣିଛି ବଡ଼ ପରିବର୍ତ୍ତନ। ଏହି ଗାଁର ବହୁ ଲୋକ ଜିଓ ଫୋନ୍‌ ଯୋଗେ ସେମାନଙ୍କ ଜୀବନର ପ୍ରଥମ ଫୋନ୍‌, ପ୍ରଥମ ରେଡିଓ, ପ୍ରଥମ ଟେଲିଭିଜନ ଓ ପ୍ରଥମ କ୍ୟାମେରା ବ୍ୟବହାର କରିବାର ସୁଯୋଗ ପାଇଛନ୍ତି । ଏଥିସହ ସେ ପ୍ରକାଶ କରିଥିଲେ କି ଦେଶରେ ଡାଟା ବ୍ୟବହାରରେ (ଇଣ୍ଟରନେଟ୍‌ ବ୍ୟବହାରରେ) ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ। ଓଡ଼ିଶାର ବ୍ୟବହାରକାରୀମାନେ ସର୍ବାଧିକ ଡାଟା ବ୍ୟୟ କରୁଛନ୍ତି।

ଜିଓ ଓଡ଼ିଶାର ଅଧିବାସୀଙ୍କ ଜୀବନରେ ଡିଜିଟାଇଜେସନ୍‌ ମାଧ୍ୟମରେ ଏକ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଛି। ଖୁବ୍‌ ଶୀଘ୍ର ଓଡ଼ିଶାରେ ରିଲିଏନ୍ସ ପକ୍ଷରୁ ଜିଓ ଗିଗାଫାଇବର ଲଞ୍ଚ କରାଯିବ। ଯାହା ଫଳରେ ଶସ୍ତାରେ ବ୍ରଡବ୍ୟାଣ୍ଡ ଡାଟା ସହ ଟେଲିଭିଜନ୍‌ କାର୍ଯ୍ୟକ୍ରମ ଦେଖିପାରିବେ। ଏଥିସହ ରାଜ୍ୟରେ ରିଲିଏନ୍ସ ଜିଓ ୩,୦୦୦କୋଟି ଟଙ୍କା ନିବେଶ କରିବ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର