କୋଲ୍‌କାତାରେ ଓଡ଼ିଶାର ନିବେଶକ ସମ୍ମିଳନୀ : ଶିଳ୍ପ ପାଇଁ ୩୦ରୁ ଅଧିକ କମ୍ପାନି ଆଗ୍ରହୀ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୧୮କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କଲ୍‌କାତାରେ ଏକ ନିବେଶକ ସମ୍ମିଳନୀ ଏବଂ ରୋଡ୍‌-ସୋ ଆୟୋଜିତ ହୋଇଯାଇଛି। ଏଥିରେ ୩୦ରୁ ଅଧିକ କଲ୍‌କାତା ଭିତ୍ତିକ ଶିଳ୍ପପତି ସରକାରଙ୍କ ପ୍ରତିନିଧି ଦଳଙ୍କୁ ଭେଟି ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍‌ଡ଼ାଙ୍କ ନେତୃତ୍ୱରେ ସରକାରଙ୍କ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବେଙ୍ଗଲ୍‌ ଭିତିକ କମ୍ପାନିଗୁଡ଼ିକ ସହିତ ଆଲୋଚନା କରିଥିଲେ। ରାଜ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବସାୟ କରିବା, ନିବେଶକଙ୍କ ପାଇଁ ପ୍ରୋତ୍ସାହନ, ସମର୍ପିତ କ୍ଷେତ୍ରଭିତିକ କ୍ଲଷ୍ଟର ଏବଂ ଶିଳ୍ପ ବିକାଶ ପାଇଁ ଥିବା ୧,୨୧,୦୦୦ ଏକରର ଜମି ବ୍ୟାଙ୍କ ଭଳି ଫାଇଦା ସମ୍ପର୍କରେ ଆଲୋଚନା ହୋଇଥିଲା। ହାରାହାରି ପ୍ରକଳ୍ପ ଅନୁମୋଦନ ଅବଧି ମଧ୍ୟ ସମ୍ପୂର୍ଣ୍ଣ ପ୍ରକଳ୍ପ ଆବେଦନ ଗ୍ରହଣ କରିବାର ୨୦ ଦିନକୁ ଖସିଆସିଛି।

ଓଡ଼ିଶାର ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ସଂସ୍କାର କାର୍ଯ୍ୟକାରିତା ହାର ୨୦୧୫ରେ ୫୨.୧୨% ଥିଲା ବେଳେ ୨୦୧୭ରେ ଏହା ୯୭.୮୩%ରେ ପହଂଚିଛି। ନିବେଶକ ସମ୍ମିଳନୀ ଏବଂ ରୋଡ୍‌ ସୋ’ ବ୍ୟତୀତ ରାଜ୍ୟ ପ୍ରତିନିଧି ଦଳ କଲ୍‌କାତରେ ଥିବା ଚୀନ୍‌ ଓ ଜାପାନ କନ୍‌ସୁଲ୍‌ ଜେନେରାଲ୍‌ଙ୍କୁ ଭେଟିଥିଲେ। ଉଭୟ ରାଷ୍ଟ୍ରର କମ୍ପାନିଗୁଡ଼ିକୁ ୨୦୧୮ ନଭେମ୍ବର ୧୧ରୁ ୧୫ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସଂସ୍କରଣ ଦ୍ୱିବାର୍ଷିକ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୧୮ରେ ଅଂଶଗ୍ରହଣ ପାଇଁ ଆହ୍ଵାନ କରିଥିଲେ।

ସମ୍ବନ୍ଧିତ ଖବର