ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହେଉଛି। ଏଥିପାଇଁ ସରକାରୀ ସ୍ତରରେ ବିଶେଷ ଭାବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତତ୍ପରତା ପ୍ରକାଶ କରିଛି। ଏହି ଯୋଜନାର ସଫଳ ରୂପାୟନ ପାଇଁ ୧୦ଜଣ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟର ସବୁ ଜିଲ୍ଲାର ଦାୟିତ୍ୱ ଦେଇଛି ବିଭାଗ। କେବଳ ସେତିକି ନୁହେଁ, ଆସନ୍ତା ୨୪ ତାରିଖରେ ବିଭାଗୀୟ ସଚିବ ବୀରବିକ୍ରମ ଯାଦବ ଭିଡିଓ କନ୍ଫରେନ୍ସିଂ ଯୋଗେ ସବୁ ଜିଲ୍ଲାର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସହିତ ଯୋଜନାର କାର୍ଯ୍ୟାନ୍ଵୟନ ସଂପର୍କିତ ସମୀକ୍ଷା କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ନିମନ୍ତେ ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ ଚୟନ କରି ଗାନ୍ଧୀ ଜୟନ୍ତୀ ଦିବସରୁ ରାସନ କାର୍ଡ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯିବ। ଏଥିପାଇଁ ସମଗ୍ର ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଧାଡ଼ି ବାନ୍ଧି ଆବେଦନ କରୁଥିବା ଦେଖିବାକୁ ମିଳୁଛି। ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଏହି ତାରିଖ ପରେ ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ପର୍ଯ୍ୟାୟ କ୍ରମେ ଚୟନ କରି କାର୍ଡ ଆବଣ୍ଟନ କରାଯିବ ବୋଲି କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତିି ଯେ ଏହି ଯୋଜନାରେ ଯେପରି ଜଣେ ହେଲେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ। ଫଳରେ ଯୋଜନା ଅଧୀନରେ ହିତାଧିକାରୀ ଚୟନର ଗୁରୁତ୍ୱ ଅଧିକ। ଏଥିପାଇଁ ଖାଦ୍ୟ ଯୋଗାଣ ବିଭାଗ ବିଭାଗ ଓ ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ୧୦ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେମାନେ ହେଉଛନ୍ତି ଅତିରିକ୍ତ ସଚିବ ଜ୍ୟୋତି କୁମାର ଲାକ୍ରା, ନିଗମର ଏମ୍ଡି ସରୋଜ କୁମାର ସାମଲ, ଯୁଗ୍ମ ସଚିବ ବିଜୟ କୁମାର ପୃଷ୍ଟି, ଯୁଗ୍ମ ସଚିବ ଶକୁନ୍ତଳା ବିନ୍ଧାଣୀ, ଯୁଗ୍ମ ସଚିବ ଏମ୍.କ୍ୟୁ.ହକ୍, ଜିଏମ୍ ପ୍ରଦୀପ କୁମାର ଗର୍ଡିଆ, ଜିଏମ୍ ସନ୍ତୋଷ କୁମାର ଦାଶ, ଜିଏମ୍ ନରହରି ସେଠୀ, ଯୁଗ୍ମ ସଚିବ ଧୀରେନ୍ଦ୍ର କୁମାର ସାହୁ ଓ ଯୁଗ୍ମ ନିର୍ଦେଶକ ଅଜିତ୍ କୁମାର ପାତ୍ର। ସେମାନେ ଜିଲ୍ଲା ଗସ୍ତ କରି ସେହି ଜିଲ୍ଲା, ବ୍ଲକ ଓ ସହରାଞ୍ଚଳଗୁଡ଼ିକରେ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତାକୁ ତଦାରଖ କରିବେ।